ଭୁବନେଶ୍ୱର, ୧୪/୦୪ : ଆମେ ବାର ମାସେ ତେର ପର୍ବ ଆଉ ପାଳନ କରୁ । ଓଡ଼ିଆମାନେ ଆଜିର ଦିନକୁ ନବ ବର୍ଷ ଭାବେ ପାଳନ କରନ୍ତି । ଏହାକୁ ମହାବିଷୁବ ସଂକ୍ରାନ୍ତି ବୋଲି କୁହାଯାଏ ଏବଂ ଆଜି ବୀର ବଜରଙ୍ଗୀ ହନୁମାନଙ୍କର ଜନ୍ମ ଜୟନ୍ତୀ ଦିବସ ମଧ୍ୟ । ଆଜିର ଦିନର ଅନେକ ମହତ୍ୱ ଏବଂ ବିଶେଷତ୍ୱ ରହିଛି । ପଣା ସଂକ୍ରାନ୍ତି ଅବସରରେ ଆଜି ଓଡ଼ିଶାର ଘରେ ଘରେ ବୃନ୍ଦାବତୀଙ୍କ ମୂଳରେ ପୂଜାର୍ଚ୍ଚନା କରାଯାଏ । ପଣା ଛତୁଆ ଭୋଗ ହେବା ସହ ବୃନ୍ଦାବତୀଙ୍କ ପାଖରେ ପାଣି ଓ ପଣା ଘଡି ବନ୍ଧାଯାଏ । ଯାହା ବର୍ଷାକୁ ସୂଚାଇଥାଏ । ବୈଶାଖ ସଂକ୍ରାନ୍ତି (ସୂର୍ଯ୍ୟଙ୍କର ମେଷ ରାଶିକୁ ସଂକ୍ରମଣ ଦିନ) ବା ପଣା ସଂକ୍ରାନ୍ତିଠାରୁ ସୌରମାନ ବର୍ଷର ପ୍ରଥମ ଗଣନା ଆରମ୍ଭ ହୁଏ । ଏହା ସୌର ବୈଶାଖର ପ୍ରଥମ ଦିବସ । ଏହିଦିନଠାରୁ ନୂତନ ଶକାବ୍ଦ ଗଣନାର ଆରମ୍ଭ ହୁଏ । ଓଡ଼ିଆ ନବବର୍ଷର ଆରମ୍ଭ ପ୍ରଣାଳୀ ବିଜ୍ଞାନ ସମ୍ମତ ଓ ଯୁକ୍ତିଯୁକ୍ତ ଏହାର ଗଣନା ନିରୟଣ ସୂର୍ଯ୍ୟ ମେଷରାଶିରେ ପ୍ରବେଶ କରିବାଠାରୁ ହୋଇଥାଏ । ଏହି ପଦ୍ଧତି ଓଡ଼ିଶାର ପ୍ରଥମ ଜ୍ୟୋତିର୍ବିଜ୍ଞାନୀ ଶତାନନ୍ଦାଚାର୍ଯ୍ୟଙ୍କଠାରୁ ଚଳିଆସୁଥିବାର ଅନୁମାନ କରାଯାଏ । ଓଡ଼ିଆ ପରମ୍ପରା ଅନୁସାରେ ମହାବିଷୁବ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗଣନା କରାଯାଏ ଏବଂ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଏ । ବର୍ଷ ଆରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବାଦେବୀଙ୍କ ପାଖରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ପଣା ଲାଗି କରାଯାଏ । ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ମନ୍ଦିରରେ ବେଲ ପଣା ଏବଂ ଛତୁ ପଣା ଭୋଗ କରାଯାଏ ।
ସେହିପରି ଆଜିର ଦିନରେ ଖୁସି ବାଣ୍ଟିବା ପାଇଁ ସାହିପଡ଼ିଶା, ବୁନ୍ଧୁବାନ୍ଧବଙ୍କୁ ପଣା ଦିଆଯାଏ । ଆଜି ହନୁମାନଙ୍କ ଦର୍ଶନ ପାଇଁ ମନ୍ଦିରମାନଙ୍କରେ ଶ୍ରଦ୍ଧାଳୁ ମାନଙ୍କର ନାହିଁ ନଥିବା ଭିଡ଼ି ଦେଖିବା ପାଇଁ ମିଳିଥାଏ । ସେହିପରି ଆଜିର ଦିନରେ ପବିତ୍ର ଝାମୁ ବ୍ରତର ଉଦଯାପନ ମଧ୍ୟ କରାଯାଏ। ପଣା ସଂକ୍ରାନ୍ତିକୁ କାହିଁକି ଓଡ଼ିଆ ନୂଆ ବର୍ଷ କୁହାଯାଏ ? ଜାଣନ୍ତୁ କ’ଣ ରହିଛି ଏହା ପଛର ପୌରାଣିକ କଥା… ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ। ଏହି ଦିନଟିକୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ। ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ଏହି ସମୟରେ ପବନ ପୁତ୍ର ହନୁମାନଙ୍କୁ ମଧ୍ୟ ପୂଜା କରାଯାଏ । ତେଣୁ ଏହିଦିନ ମଧ୍ୟ ହନୁମାନ ଜୟନ୍ତୀ ପଡେ । ଚଣ୍ଡୀ, ସାରଳା, ବିରଜା ଆଦି ଠାକୁରାଣୀ ମନ୍ଦିରମାନଙ୍କରେ ଏହି ଦିନ ଝାମୁ ଯାତ ପାଳନ କରାଯାଏ । ଯେଉଁମାନେ ଏହି ବ୍ରତ ପାଳନ କରନ୍ତି ତାଙ୍କୁ ପାଟୁଆ ବୋଲି କୁହାଯାଏ । ଘଣ୍ଟ ପାଟୁଆମାନେ ଘଣ୍ଟ ମୁଣ୍ଡେଇ, କାଠ ଗୋଡ଼ ପିନ୍ଧି ଠାକୁରାଣୀ ମନ୍ଦିର ଆଗରେ ନିଆଁ ଉପରେ ଚାଲିବାର ପ୍ରଥା ରହିଛି । ଦକ୍ଷିଣ ଓଡ଼ିଶାରେ ମାସାଧିକ କାଳ ଚାଲିଥିବା ଦଣ୍ଡ ନାଟକୁ ଏହି ଦିନ ଶେଷ କରାଯାଏ । ଏହି ଦିନ ମେରୁ ଯାତ ପାଳନ କରାଯାଏ । ଲୋକେ ବେଲ ପଣା ଓ ଛତୁଆ ସହ ଏହାକୁ ପାଳନ କରନ୍ତି । ଉତ୍ତର ଓଡ଼ିଶାରେ ଏହି ଦିନକୁ ଚଡ଼କପର୍ବ ନାମରେ ପାଳନ କରାଯାଏ । ବୈଜ୍ଞାନିକ ଦୃଷ୍ଟିକୋଣ: ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ଗରିଷ୍ଠ ଖାଦ୍ୟ ସହଜରେ ହଜମ ହେଉଥିବାରୁ ବୁଟ ଛତୁଆ ପରି ଗରିଷ୍ଠ ଖାଦ୍ୟ ପଦାର୍ଥ ଗ୍ରହଣ ପାଇଁ ଆୟୋଜନ ହୋଇଥାଏ ।