ଭୁବନେଶ୍ୱର: ମଙ୍ଗଳବାର ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଏଥର କାର୍ତ୍ତିକ ପୂର୍ଣ୍ଣିମାରେ ମଧ୍ୟ ପଡ଼ୁଛି । ଜ୍ୟୋତିର୍ବିଦମାନେ ଏହାକୁ ରାହୁଗ୍ରସ୍ତ ଚନ୍ଦ୍ରଗ୍ରହଣ ବୋଲି କହୁଥିବା ସମୟରେ ଡଙ୍ଗା ଭସା ପୂର୍ଣ୍ଣିମା ପଡୁଥିବାରୁ ଏନେଇ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି । ଡଙ୍ଗା ଭସାଇବା ପାଇଁ ରାତି ୨ଟାରୁ ଭୋଟ୍ ୫ଟା ୩୮ ମିନିଟ୍ ମଧ୍ୟରେ ସମୟ ଧାର୍ଯ୍ୟ କରାଯାଇଛି । ଅପରାହ୍ଣ ୨ଟା ୩୮ ମିନିଟରେ ଚନ୍ଦ୍ରଗ୍ରହଣ ସ୍ପର୍ଶ ହେବ । ସେହିପରି ସନ୍ଧ୍ୟା ୫ଟା ୧୧ରୁ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୋଇ ୬ଟା ୧୮ ମିନିଟ୍ରେ ସର୍ବମୋକ୍ଷ ହେବ ।
ସମୁଦାୟ ୧ ଘଣ୍ଟା ୧୨ ମିନିଟ୍ ୪୮ ସେକେଣ୍ଡ ଧରି ଏହି ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ ବୋଲି ଜ୍ୟୋର୍ତିବିଦମାନେ ମତ ଦେଇଛନ୍ତି । ମଙ୍ଗଳବାର ସକାଳ ୮ଟା ୨୯ରୁ ସନ୍ଧ୍ୟା ୬ଟା ୧୯ ମିନିଟ୍ ପର୍ଯ୍ୟନ୍ତ ପାକତ୍ୟାଗ ଓ ଦେବନୀତି ନିଷେଧ ରହିବ । ଏହି ଦିନ ଶ୍ରୀମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ନୀତିକାନ୍ତି ପାଇଁ ସମୟ ନିର୍ଘଣ୍ଟ କରାଯାଇଥିଲା ।
ସୋମବାର ରାତି ୧୨ଟା ୧୦ ମିନିଟରୁ ଦ୍ୱାର ଫିଟାଯାଇ ନୀତିକାନ୍ତି ଆରମ୍ଭ କରାଯାଇଥିଲା । ଏହା ସହ ମହାପ୍ରଭୁଙ୍କ ସୁନାବେଶ ବା ରାଜାଧିରାଜ ବେଶ ଅନୁଷ୍ଠିତ ହୋଇଥିଲା । ଚନ୍ଦ୍ରଗ୍ରହଣରେ ମେଷ, ବୃଷ, କନ୍ୟା ଓ ମକର ରାଶି ପାଇଁ ଖରାପ ପ୍ରଭାବ ପଡ଼ିବାର ଯଥେଷ୍ଟ ସମ୍ଭାବନା ଥିବା ଜ୍ୟୋର୍ତିବିଦମାନେ ମତ ଦେଇଛନ୍ତି ।
