ଆଜି ଦ୍ୱିତୀୟ କ୍ୱାଲିଫାୟରରେ ମୁହାଁମୁହିଁ ହେବେ ରାଜସ୍ଥାନ ଓ ବାଙ୍ଗାଲୋର

ଅହମଦାବାଦ,୨୭/୫ : ଆଜି ଆଇପିଏଲ୍‌ର ଦ୍ବିତୀୟ କ୍ବାଲିଫାୟର ପାଇଁ ପୂର୍ବବିଜେତା ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ମୁହାଁମୁହିଁ ହେବେ। ପ୍ରଥମ ଆଇପିଏଲ୍ ଟ୍ରଫିର ସ୍ବପ୍ନ ପୂରଣ କରିବା ଲାଗି ଆର୍‌ସିବି ଆସନ୍ତାକାଲି କର ବା‌ ମର ସ୍ଥିତିରେ ରହିବ। ଅନ୍ୟପକ୍ଷରେ ୨୦୦୮ର ପ୍ରଥମ ସଂସ୍କରଣ ଜିତିବାର ଦୀର୍ଘ ୧୩ ବର୍ଷର ବ୍ୟବଧାନ ପରେ ଦ୍ବିତୀୟ ଥର ବିଜେତା ହେବାର ଆଶା ଉଜ୍ଜୀବିତ ରଖିବା ଲାଗି ରାଜସ୍ଥାନକୁ ମଧ୍ୟ ଏହି ମ୍ୟାଚ୍ ଜିତିବାକୁ ପଡ଼ିବ। କାରଣ ପ୍ରଥମ କ୍ବାଲିଫାୟର ହାରି ଫାଇନାଲକୁ ଯିବାର ପ୍ରଥମ ସୁଯୋଗ ରାଜସ୍ଥାନ ପୂର୍ବରୁ ହାତଛଡ଼ା କରିସାରିଛି। କୋଲକାତାର ହାଇସ୍କୋରିଂ ପ୍ଲେ ଅଫ୍ ପର୍ଯ୍ୟାୟ ପରେ ଅହମଦାବାଦ ପିଚ୍ କିନ୍ତୁ ଉଭୟ ଦଳ ଲାଗି ନିଶ୍ଚିତ ଭାବେ ନୂଆ ଆହ୍ବାନ ନେଇ ଆସିବ।

ଦ୍ବିତୀୟ କ୍ବାଲିଫାୟରରେ କୋହଲିଙ୍କ ବ୍ୟାଟ୍‌ରୁ ଏକ ବଡ଼ ପାଳି ‌ଦେଖିବାକୁ ମିଳିବ ବୋଲି ମଧ୍ୟ ପ୍ରଶଂସକ ଆଶା ରଖିଛନ୍ତି। ତେବେ ଲକ୍ଷ୍ନୌ ବିପକ୍ଷ ଏଲିମିନେଟରରେ ନିଜ ଆଇପିଏଲ୍ ଜୀବନର ସର୍ବଶ୍ରେଷ୍ଠ ପାଳି ଖେଳିଥିବା ରଜତ ପଟିଦାରଙ୍କ ଉପରେ ପୁଣି ଥରେ ସମସ୍ତଙ୍କ ନଜର ରହିବ। ଆଇପିଏଲ୍‌ ନିଲାମରେ ବିକ୍ରି ନହେବା ପରେ ବଦଳ ଖେଳାଳି ଭାବେ ଆର୍‌ସିବିକୁ ଆସି ପଟିଦାର ଯେଭଳି ପାଳି ଖେଳିଲେ, ତାହା ତାଙ୍କ ଖେଳ ଜୀବନକୁ ନୂଆ ମୋଡ଼ ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ରାଜସ୍ଥାନକୁ ହରାଇବା ଲାଗି ଆର୍‌ସିବି ଅଧିନାୟକ ଫାଫ୍ ଡୁ’ପ୍ଲେସିସ୍ ଏବଂ କୋହଲିଙ୍କୁ ଅଧିକ ଦାୟିତ୍ବ ନେବାକୁ ହେବ। ଦୀନେଶ କାର୍ତ୍ତିକ ସ୍ଥିର ପ୍ରଦର୍ଶନ ଦେଇ ଆସୁଥିଲା ବେଳେ ଶୁକ୍ରବାର ତାଙ୍କଠାରୁ ମଧ୍ୟ ଆର୍‌ସିବି ଏକ ଭଲ ପାଳିର ଆଶାରେ ରହିବ।