ଭୁବନେଶ୍ୱର, ୦୫/୦୨ : ଜନ୍ମମାଟିରେ ଶେଷ ହେଲା ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ତୃତୀୟ ଦିନ । ଆଜି ଶିମିଳିପାଳନ ଯିବେ ରାଷ୍ଟ୍ରପତି । ସେଥିପାଇଁ ସବୁ ପ୍ରସ୍ତୁତି ସରିଛି । ଗତକାଲି ଶ୍ରୀମନ୍ଦିରକୁ ଯାଇ ଚତୁର୍ଦ୍ଧାମୁର୍ତ୍ତିଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଭକ୍ତିଭାବରେ ଗଦଗଦ ହୋଇ ପ୍ରାୟ ୪୫ ମିନିଟ୍ କାଳ ମହାପ୍ରଭୁଙ୍କ ସାନିଧ୍ୟ ଲଭିଥିଲେ ରାଷ୍ଟ୍ରପତି। ଫେରିବା ସମୟରେ ବାଇଶି ପାହାଚ ଉପରେ କିଛି ସମୟ ବସିଥିଲେ ଦେଶର ପ୍ରଥମ ନାଗରିକ । ସିଂହଦ୍ଵାର ଠାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ଖଣ୍ଡୁଆ ଓ ସୁନାବେଶ ଫଟୋଚିତ୍ର ଉପହାର ଦିଆଯାଇଥିଲା । ଦର୍ଶନ ସାରି ଫେରିବା ବାଟରେ ରାଷ୍ଟ୍ରପତି ବଡ଼ଦାଣ୍ଡରେ କିଛି ବାଟ ଚାଲିଚାଲି ଯାଇଥିଲେ ଏବଂ ଲୋକଙ୍କ ସହ ହାତ ମିଶାଇଥିଲେ । ଏହାପରେ ନିଜ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଯାଇଥିଲେ। ସେଠାରେ ପୂର୍ଣ୍ଣେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ଦ୍ରୌପଦୀ ମୁର୍ମୁ। ଶିକ୍ଷକତା କରିବା ସମୟରେ ଏହି ମନ୍ଦିରରେ ସେ ପ୍ରତିଦିନ ଝାଡ଼ୁ ମାରୁଥିଲେ। ଲୋକଙ୍କ ଭିଡ଼ ଭିତରେ ଅପେକ୍ଷାରତ କୁନି କୁନି ପିଲାଙ୍କୁ ଚକଲେଟ୍ ବାଣ୍ଟିଥିଲେ ରାଷ୍ଟ୍ରପତି। ଏହାପରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ନିଜ ପୈତୃକ ଘରେ ପହଞ୍ଚି ପରିବାର ସହ କିଛି ସମୟ କାଟିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।