ଆଜି ବିଶ୍ବ ମ୍ୟାଲେରିଆ ଦିବସ

ଭୁବନେଶ୍ବର : ରାଜ୍ୟରେ ମ୍ୟାଲେରିଆ କ୍ରମାଗତ ଭାବେ ହ୍ରାସ ପାଉଛି। ଗତ ୨/୩ବର୍ଷ ହେବ ଉଭୟ ସଂକ୍ରମିତଙ୍କ ସଂଖ୍ୟା ଓ ସଂକ୍ରମଣ ହାର କମିବାରେ ଲାଗିଛି। ତଥାପି ଓଡ଼ିଶାରେ ମ୍ୟାଲେରିଆ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିପାରିନାହିଁ। ରାଜ୍ୟର ୫ଟି ଜିଲ୍ଲା ଏବେ ମ୍ୟାଲେରିଆ ପ୍ରବଣ ହୋଇ ରହିଛି। ଏଥିରେ ମାଲକାନଗିରି ଜିଲ୍ଲା ଆଗ‌ରେ ରହୁଥିବା ବେଳେ ସଂକ୍ରମଣ ତାଲିକାରେ ତଳେ ରହୁଥିବା ରାୟଗଡ଼ା ଜିଲ୍ଲା ଦ୍ବିତୀୟ ସ୍ଥାନକୁ ଲମ୍ଫ ମାରିଛି। ଏହାସହ ଦେଶରେ ମ୍ୟାଲେରିଆ ଜନିତ ମୃତ୍ୟୁରେ ଓଡ଼ିଶା ଗତବର୍ଷ ପଞ୍ଚମ ସ୍ଥାନରେ ରହିଛି।

ରାଜ୍ୟରେ ମ୍ୟାଲେରିଆ ହ୍ରାସ ପାଇବା ପଛରେ ସବୁ ଜିଲ୍ଲାରେ ମାଇକ୍ରୋସ୍କୋପ୍ ପରୀକ୍ଷା, ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ(ଦମନ) କାର୍ଯ୍ୟକ୍ରମ ଓ ଔଷଧୀୟ ମଶାରୀ ବଣ୍ଟନ ପ୍ରମୁଖ ରହିଛି। ୨୦୧୩-୨୦୨୨ ମସିହା ଭିତରେ ୧.୫୬ କୋଟି ଔଷଧୀୟ ମଶାରୀ ବଣ୍ଟନ କରାଯାଇଛି। ଏହାସହ ‘ଦମନ’ କାର୍ଯ୍ୟକ୍ରମକୁ ଆହୁରି ୫ବର୍ଷ ପାଇଁ ବୃଦ୍ଧି କରାଯାଇଛି। ରାଜ୍ୟରେ ଯେଉଁ ଜିଲ୍ଲାଗୁଡ଼ିକରେ ସ୍ଥାନୀୟ ମ୍ୟାଲେରିଆ ସଂକ୍ରମଣ ଲଗାତାର ୩ବର୍ଷ ପର୍ଯ୍ୟନ୍ତ ଦେଖିବାକୁ ମିଳିବ ନାହିଁ ସେସବୁ ଜିଲ୍ଲାକୁ ମ୍ୟାଲେରିଆମୁକ୍ତ ଘୋଷଣା କରିବାର ବ୍ୟବସ୍ଥା ରହିଛି। ଏ ଦୃଷ୍ଟିରୁ ରାଜ୍ୟର କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ଏଥିରେ ସାମିଲ କରିବା ଲାଗି ରାଜ୍ୟ ସରକାର ଯୋଜନା କରୁଛନ୍ତି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ, ରାଜ୍ୟରେ ମ୍ୟାଲେରିଆ କମିବାରେ ଲାଗିଛି। ଯଦିଓ ୫ଟି ଜିଲ୍ଲାରେ ସଂକ୍ରମଣ ଅନ୍ୟ ଜିଲ୍ଲା ତୁଳନାରେ ଅଧିକ ରହିଛି, ତଥାପି ସେସବୁ ଜିଲ୍ଲାରେ ବି ଆକ୍ରାନ୍ତଙ୍କ ସଂଖ୍ୟା ଖସିବାରେ ଲାଗିଛି। ରାଜ୍ୟର ୨ଟି ଜିଲ୍ଲାକୁ ମ୍ୟାଲେରିଆମୁକ୍ତ ପାଇଁ ସବ-ନାସନାଲ ସାର୍ଟିଫିକେଟ୍‌ ପ୍ରଦାନ କରିବା ପାଇଁ ପ୍ରଚେଷ୍ଟା ଚାଲିଛି। ରାଜ୍ୟ ସରକାର ଏ ସଂପର୍କିତ ତଥ୍ୟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବା ପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ ଏହାର ସର୍ବେକ୍ଷଣ କରାଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

SBI_Festive_Digital Billboard