ଆଜି ବିଶ୍ବ ପଖାଳ ଦିବସ

ଭୁବନେଶ୍ବର, ୨୦/୦୩ : ଆଜି ପଖାଳ ଦିବସ । ଓଡ଼ିଆଙ୍କ ପରିଚୟ ପଖାଳ। ସେ ଗାଁ ହେଉ କି ସହର, ପଖାଳ ବାସ୍ନା ସବୁବେଳେ ନିଆରା । ଏଣୁ ପଖାଳର ଚାହିଦାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ରୂପେ ପାଳନ କରାଯାଉଛି। କଥାରେ ଅଛି, ‘ଝୁରି ହେଉଛି ଦିନକାଳ, ମନ ଖୋଜୁଛି ସେକାଳ ପଖାଳ’। ଓଡ଼ିଆ ଜନଜୀବନ ସହ ପଖାଳର ସମ୍ପର୍କ ବହୁ ପୁରୁଣା। ସାରା ବିଶ୍ବରେ ଥିବା ଓଡିଆମାନେ ପାଳନ କରିବେ ଏହି ପଖାଳ ଦିବସ । ଏକଦା ଗରୀବଙ୍କ ସହଜ ଖାଦ୍ୟ ଭାବେ ପରିଚିତ ଓଡ଼ିଆଙ୍କ ପ୍ରିୟ ପଖାଳ ଏବେ ମାଟିପିଣ୍ଡାରୁ ଯାଇ ପଞ୍ଚତାରକା ହୋଟେଲର ଡାଇନିଂ ଟେବୁଲରେ ଶୋଭା ପାଇଲାଣି । ସାଧାରଣତଃ ଗୀଷ୍ମଋତୁ ବା ଖରାଦିନେ ହିଁ ଓଡ଼ିଶାର ପ୍ରତ୍ୟେକ ଘରେ ପଖାଳର ଆସର ଦେଖିବାକୁ ମିଳିଥାଏ । ପଖାଳ ସାଙ୍ଗକୁ ବଡିଚୁରା କି ଭଜା ଟିକିଏ ହେଲେ ପୂରା ପେଟ ଶାନ୍ତି । କି ନେତା, କି ମନ୍ତ୍ରୀ । ସାନ-ବଡ଼, ଧନୀ ଗରିବ । ସବୁ ଭେଦଭାବକୁ ଭେଦ କରି ସମସ୍ତଙ୍କୁ ଏକାକାର କରିଦେଇଛି ପଖାଳ କଂସା । କିଏ ବିଲ ହୁଡ଼ାରେ ବସି ପଖାଳ ଖାଏ, ତ ଆଉ କିଏ ତାରକା ହୋଟେଲରେ ପଖାଳ ଖାଏ । ଖଟିଖିଆର ଭାତହାଣ୍ଡିରୁ ମନ୍ଦିର ଏପରିକି ସୌଖିନ ହୋଟେଲର ମେନ୍ୟୁରେ ସ୍ଥାନ ପାଇଛି ପଖାଳ । ସହର ଚାକଚକ୍ୟ ଏବଂ ଦେଶୀ, ବିଦେଶୀ ଖାଦ୍ୟପେୟ ଭିତରେ ବି ଲୋକେ ପଖାଳ ଖୋଜୁଛନ୍ତି। ଗରମ ଭାତ ଥଣ୍ଡା ହେବା ପରେ ତାକୁ ଧୋଇ ସେଥିରେ ପାଣି ମିଶାଇ ତିଆରି କରାଯାଉଥିବାରୁ ଏହାର ଏପରି ନାମକରଣ ହୋଇଛି। ବିଭିନ୍ନ ରାଜ୍ୟରେ ପଖାଳକୁ ଭିନ୍ନ ଭିନ୍ନ ନାମରେ ସମ୍ଭୋଧନ କରାଯାଇଥାଏ। ଆସାମରେ ଏହାକୁ ପୋଇତାଭାତ, ଛତିଶଗଡରେ ପଖାଳ ବା ବୋରେ ଭାତ,ପଶ୍ଚିମବଙ୍ଗରେ ପାନ୍ତା ଭାତ, ତାମିଲନାଡୁରେ ବଖାଳବାତ କୁହାଯାଇଥାଏ।’