ଭୁବନେଶ୍ୱର,୮/୬: ଆଜି ରାଜ୍ୟବାସୀଙ୍କୁ ଭର୍ଚୁଆଲ ରାଲି ଦ୍ୱାରା ସମ୍ୱୋଧିତ କରିବେ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଗତକାଲି ବିହାର ପରେ ଆଜି ଓଡିଶା ପାଇଁ କରିବେ ଟେକ୍ନୋଲୋଜି ପ୍ଲାଟଫର୍ମରେ ଭର୍ଚୁଆଲ ରାଲି ।
ପ୍ରାୟ ଏକ କୋଟି ଲୋକ ଏହି ରାଲିରେ ଯୋଡିହେବେ ବୋଲି ରାଜ୍ୟ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱୀତିୟ ପାଳିର ପ୍ରଥମ ବର୍ଷ ପୂରଣ ହେବା ପରେ ସାଧାରଣ ଲୋକଙ୍କୁ ସରକାରଙ୍କ କାମର ହିସାବ ଦେବା ପାଇଁ ଆୟୋଜନା କରାଯାଉଛି ଏହି ବିଶାଳ ରାଲି । ପ୍ରଥମ ଥର ସୋଶିଆଲ ମିଡିଆ ଜରିଆରେ ଏଇ ଭଳି ରାଲିର ଆୟୋଜନ କରାଯାଉଥିବାରୁ ରାଜ୍ୟ କାର୍ଯ୍ୟକର୍ତ୍ତାଙ୍କ ଭିତରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।
କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଦିଲ୍ଲୀରେ ପ୍ରସ୍ତୁତ ହୋଇଥିବା ସ୍ୱତନ୍ତ୍ର ମଞ୍ଚ ଉପରୁ ଏହି ରାଲିକୁ ସମ୍ୱୋଧିତ କରିବେ ଏହା ସହ ଓଡିଶାର ବିଜେପି ନେତା ମାନେ ମଧ୍ୟ ରାଜ୍ୟ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ମଞ୍ଚରୁ ଏହି ରାଲିରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଯୋଡିହେବେ ବୋଲି ଜଣାପଡିଛି । ଏହା ସହ ଏହି ରାଲିରେ ପ୍ରତ୍ୟେକ ବିଧାନସଭା କ୍ଷେତ୍ରରୁ କିଭଳି ଲୋକମାନେ ଯୋଡି ହେବେ ସେ ନେଇ ରାଜ୍ୟ ବିଜେପି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ତେବେ ରାଲି ସମୟରେ କୋଭିଡ-19 ନିୟମକୁ ପାଳନ କରି ଲୋକମାନଙ୍କୁ ଯୋଡି ହେବା ପାଇଁ ପରାମର୍ଶ ଦେଇଛି ରାଜ୍ୟ ବିଜେପି ।