ଟୋକିଓ ଅଲିମ୍ପିକ୍ସ୍ରେ ଭାରତୀୟ ମହିଳା ହକି କାଂସ୍ୟ ପଦକ ପ୍ରତିଯୋଗିତାରେ ଗ୍ରେଟ୍ ବ୍ରିଟେନ୍ ଠାରୁ ୩-୪ ଗୋଲ୍ରେ ପରାସ୍ତ
ଟୋକିଓ,୬/୮: ଆଜି ଅନୁଷ୍ଠିତ ମହିଳା ହକି କାଂସ୍ୟ ପଦକ ପ୍ରତିଯୋଗିତାରେ ‘ରିଓ ଅଲିମ୍ପିକ୍ସ୍’ ସ୍ବର୍ଣ୍ଣପଦକ ବିଜେତା ଗ୍ରେଟ୍ ବ୍ରିଟେନ୍ ଠାରୁ ଭାରତ ପରାଜିତ ହୋଇଛି। କିନ୍ତୁ, ଟୋକିଓ ଅଲିମ୍ପିକ୍ସ୍ରେ କାଂସ୍ୟ ପଦକସ୍ତର ପର୍ଯ୍ୟନ୍ତ ଖେଳି ପାରିଥିବା ଭାରତୀୟ ମହିଳା ହକି ଟିମ୍ ପାଇଁ ଗୁରୁତ୍ବପୂର୍ଣ୍ଣ ତଥା ଅବିସ୍ମରଣୀୟ ଘଟଣା ବୋଲି କୋଚ୍ ସୋରୋଡ୍ ମରିନ୍ କହିଛନ୍ତି।
ଆପଣା ଆକ୍ରମଣାତ୍ମକ ବୈଶିଷ୍ଟ୍ୟ ବଜାୟ ରଖି ଆଜି ଗ୍ରେଟ୍ ବ୍ରିଟେନ୍ ମହିଳା ହକି ଟିମ୍ ଭାରତୀୟ ମହିଳା ହକି ଟିମ୍ ବିପକ୍ଷରେ ଖେଳ ଆରମ୍ଭ କରିଥିଲା। ପ୍ରଥମ ୧୫ ମିନିଟ୍ରେ ଗ୍ରେଟ୍ ବ୍ରିଟେନ୍ ୨ଟି ପେନାଲ୍ଟି କର୍ଣ୍ଣର୍ ପାଇଥିଲା, କିନ୍ତୁ ସେଥିରୁ ଭାରତର ସବିତା ଗୋଟିକୁ ପ୍ରତିରୋଧ କରିଥିବା ବେଳେ ଦ୍ବିତୀୟଟିକୁ ସେମାନେ ଠିକ୍ ଭାବେ ଗୋଲ୍ ପୋଷ୍ଟ୍କୁ ମାରି ପାରି ନ ଥିଲେ।
ଖେଳର ଦ୍ବିତୀୟ ପର୍ଯ୍ୟାୟରେ ଭାରତ ଗ୍ରେଟ୍ ବ୍ରିଟେନ୍ ଠାରୁ ୦-୨ରେ ପଛୁଆ ଥିଲା। କିନ୍ତୁ, ଖେଳର ମଧ୍ୟାହ୍ନ-ବିରତି ହେବା ପାଇଁ ମାତ୍ର ୬ ମିନିଟ୍ ଥିବା ବେଳେ ଭାରତୀୟ ମହିଳା ଟିମ୍ ୩ଟି ଗୋଲ୍ ଦେଇ ୩-୨ରେ ଅଗ୍ରଣୀ ରହିଥିଲା। ମାତ୍ର ଖେଳର ଚତୁର୍ଥ ପର୍ଯ୍ୟାୟରେ ଗ୍ରେଟ୍ ବ୍ରିଟେନ୍ ଆଉ ଗୋଟିଏ ଗୋଲ୍ ଦେବାରୁ ଉଭୟ ଦେଶର ସ୍କୋର୍ ସମାନ ହୋଇଯାଇଥିଲା। ଏହାପରେ ଖେଳ ସରିବାକୁ ଆଉ ୧୨ ମିନିଟ୍ ଥିବା ବେଳେ ଗ୍ରେଟ୍ ବ୍ରିଟେନ୍ର ଗ୍ରେସ୍ ବାଲ୍ସ୍ଡନ୍ ଗୋଟାଏ ଗୋଲ୍ କରିବାରୁ ଭାରତ ୩-୪ରେ ପଛୁଆ ହୋଇଗଲା। ଏହାପରେ ଶତଚେଷ୍ଟା ସତ୍ତ୍ବେ ଭାରତୀୟ ମହିଳା ଟିମ୍ ଗ୍ରେଟ୍ ବ୍ରିଟେନ୍ ସ୍କୋର୍ର ସମକକ୍ଷ ହୋଇ ପାରିଲେ ନାହିଁ। ଖେଳ ପ୍ରତିଯୋଗିତ ଶେଷକୁ ଭାରତୀୟ ଗୋଲ୍ ରକ୍ଷକ ସବିତା ପୁନିଆ ଧୈର୍ଯ୍ୟ ହରାହୋଇପଡ଼ିଲେ।