ନୂଆଦିଲ୍ଲୀ,୧୭ /୧୨ : ଆସନ୍ତା ଦୁଇ ବର୍ଷ ମଧ୍ୟରେ ଦେଶରୁ ସବୁ ଟୋଲ ଗେଟକୁ ଉଠାଇ ଦିଆଯିବ ବୋଲି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି । ସରକାର ଯାନବାହନ ଗୁଡିକର ସହଜ ଚଳାଚଳରେ ବାଧା ନ ପହଞ୍ଚାଇ ଟୋଲ ସଂଗ୍ରହ ନିମନ୍ତେ ଜିପିଏସ୍ ଆଧାରିତ ବ୍ୟବସ୍ଥା ଚୂଡାନ୍ତ କରିଛନ୍ତି । ଏହା ଆଗାମୀ ଦୁଇ ବର୍ଷ ମଧ୍ୟରେ ଭାରତକୁ ଟୋଲ ବୁଥ ମୁକ୍ତ କରିବ। ଗାଡିର ଗତିବିଧି ଉପରେ ନଜର ରଖି ଗାଡି ମାଲିକଙ୍କ ଆକାଉଣ୍ଟରୁ ଟୋଲ କିପରି ସିଧାସଳଖ କଟାଯିବ ତାହା କେନ୍ଦ୍ର ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ଏହି ଯୋଜନା ବିଷୟରେ ବର୍ଣ୍ଣନା କରି ସେ କହିଛନ୍ତି ଯେ ଯାନବାହନ ଚଳାଚଳ ଆଧାରରେ ବ୍ୟାଙ୍କ ଆକାଉଣ୍ଟରୁ ଟୋଲ ରାଶି କଟାଯିବ । ସେ କହିଛନ୍ତି ଯେ ସମସ୍ତ ବାଣିଜ୍ୟିକ ଯାନ ବର୍ତ୍ତମାନ ଟ୍ରାକିଂ ସିଷ୍ଟମ ସହିତ ଆସୁଛି । ପୁରୁଣା ଗାଡିରେ ଜିପିଏସ୍ ଟେକ୍ନୋଲୋଜି ସ୍ଥାପନ ପାଇଁ ସରକାର ଏକ ଯୋଜନା ଆଣିବେ । ସେ କହିଛନ୍ତି, ବର୍ତ୍ତମାନ ସମସ୍ତ ବାଣିଜ୍ୟିକ ଯାନରେ ଟ୍ରାକିଂ ବ୍ୟବସ୍ଥା ଅଛି । ପୁରୁଣା ଗାଡିରେ ସରକାର ଜିପିଏସ୍ ସିଷ୍ଟମ ମଧ୍ୟ ସ୍ଥାପନ କରିବେ।
ଗାଡକରୀ ଏହା ମଧ୍ୟ କହିଛନ୍ତି ଯେ ଆସନ୍ତା ବର୍ଷ ମାର୍ଚ୍ଚ ପର୍ୟ୍ୟନ୍ତ ଦେଶରେ ଟୋଲ ସଂଗ୍ରହ ୩୪ ହଜାର କୋଟିରେ ପହଞ୍ଚି ପାରିବ। ଜିପିଏସ୍ ଟେକ୍ନୋଲୋଜି ସହିତ ଟୋଲ୍ ସଂଗ୍ରହ ଏହାକୁ ଯଥେଷ୍ଟ ବୃଦ୍ଧି କରିବ ଏବଂ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଏହା ୧ ଲକ୍ଷ ୩୪ ହଜାର କୋଟି ଟଙ୍କାରେ ପହଞ୍ଚିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ଏହାପୂର୍ବରୁ ଗଡକରୀ ଦେଶରେ ଫାଷ୍ଟାଗ୍ ସିଷ୍ଟମ ଲାଗୁ କରିଛନ୍ତି, ଯାହାଫଳରେ ଯାନବାହାନଗୁଡ଼ିକ ବୁଥରେ ଅଟକି ନ ରହି ଟୋଲ୍ ଦେଇପାରିବେ।