ଓଡ଼ିଶାରେ ଟମାଟୋ ଫ୍ଲୁ: ୨୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱର: କରୋନା ପରେ ଟମାଟୋ ଫ୍ଲୁ ଆତଙ୍କ । ଟମାଟୋ ଫ୍ଲୁ ବୋଲି କୁହାଯାଉଥିବା ହ୍ୟାଣ୍ଡ ଫୁଟ ଆଣ୍ଡ ମାଉଥ ଡିଜିଜ (HFMD) ରୋଗୀ ଓଡ଼ିଶାରେ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, ‘ଏ ରୋଗକୁ ଆମେ ଟମାଟୋ ଫ୍ଲୁ ନକହି HFMD କହିବା । ୩୬ ଜଣଙ୍କ HFMD ମାମଲାର ନମୁନା RMRCକୁ ପଠାଯାଇଥିଲା । ସେଥିମଧ୍ୟରୁ ୨୬ ଜଣ ପଜିଟିଭ ବାହାରିଛନ୍ତି । ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୧୯ ଜଣ, ଖୋର୍ଦ୍ଧା ଗ୍ରାମାଞ୍ଚଳରୁ ୨।ଜଣ, ପୁରୀରୁ ୩ ଜଣ ଓ କଟକରୁ ୨ ଜଣ ଅଛନ୍ତି । ସମସ୍ତ ରୋଗୀ ୯ ବର୍ଷରୁ କମ ବୟସର ବୋଲି ସୂଚନା ମିଳିଥିବାବେଳେ ସମସ୍ତେ ଭଲ ଅଛନ୍ତି । ସେମାନଙ୍କ ଉପରେ ଲୋକାଲ ସ୍ୱାସ୍ଥ୍ୟ ଟିମ ନଜର ରଖିଛନ୍ତି ।

ଏହା ସହ ବିଜୟ ମହାପାତ୍ର କହିଛନ୍ତି ଯେ, ‘ହାତ ଓ ମୁହଁରେ ନାଲି ଫଳି ଜ୍ୱର ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏହି ରୋଗରେ ଆକ୍ରାନ୍ତ ଥିବା ପିଲାଙ୍କୁ ୫/୭ ଦିନ ଆଇସୋଲେସନରେ ରଖନ୍ତୁ ।’ ପଜିଟିଭ ନମୁନା ଗୁଡିକୁ ଜିନମ ସିକ୍ୱେନ୍ସିଂ ଲାଗି NIV ପୁନେକୁ ପଠାଯାଇଛି । କିଛିଦିନ ପୂର୍ବରୁ ଏ ରୋଗକୁ ସର୍ଭେଲାନ୍ସ ମଧ୍ୟକୁ ଆଣିବାକୁ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅଭିଭାବକ ମାନଙ୍କୁ ପରାମର୍ଶ, ଜ୍ୱର ହେବା, ଭୋକ ନ ଲାଗିବା, ପାଟି ପାଖରେ ଘା ହେବା ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଅଧିକ ଜଟିଳତା ଦେଖାଦେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ଏହି ରୋଗ ପୂର୍ବରୁ ଥିଲା । ରୋଗୀକୁ ଆଇସୋଲେସନରେ ରଖିଲେ ଜଣଙ୍କ ମଧ୍ୟରେ ସୀମିତ ରହିବ । ୩ ରୁ ୭ ଦିନରେ ଭଲ ହୋଇପାରୁଛି ଏ ରୋଗ । ତେଣୁ ଏହାକୁ ନେଇ ଡରିବାର ନାହିଁ । ଏହାର ଚିକିତ୍ସା ପାଇଁ କୌଣସି ସ୍ୱତନ୍ତ୍ର ଔଷଧ ବା ଟୀକା ନାହିଁ । ଲକ୍ଷଣ ଅନୁସାରେ ଏହାର ଚିକିତ୍ସା କରାଯାଇଥାଏ । ଯେହେତୁ ରାଜ୍ୟରେ ଏଭଳି ରୋଗୀ ଚିହ୍ନଟ ହେଲେଣି ତେଣୁ ଆମେ ସତର୍କ ରହିବା ।

ତେବେ ଟମାଟୋ ଫ୍ଲୁରେ ପିଲାମାନଙ୍କ ଚର୍ମରେ ଲାଲ୍ ଫୁଲା ଦେଖାଯାଏ । ବେଳେବେଳେ ଏହା ଟମାଟୋ ଆକାରରେ ଦେଖାଯାଇଥାଏ । ଏହି କାରଣରୁ ଏହାକୁ ଟମାଟୋ ଫ୍ଲୁ ବୋଲି କୁହାଯାଉଛି । ଟମାଟୋ ଫ୍ଲୁ ଏକ ସଂକ୍ରାମକ ରୋଗ ଯାହା ଛୁଇଁବା ଦ୍ବାରା ବ୍ୟାପିଥାଏ । ଯଦି ଆପଣଙ୍କ ଚାରିପାଖରେ କୋହି ଏହି ରୋଗରେ ପୀଡିତ ଅଛନ୍ତି ତେବେ ତାଙ୍କଠାରୁ ଦୂରତା ରକ୍ଷା କରନ୍ତୁ । ବିଶେଷ କରି ପିଲାମାନଙ୍କୁ ଏହି ଫ୍ଲୁ ରୋଗୀଙ୍କ ନିକଟକୁ ଆସିବାକୁ ଦିଅନ୍ତୁ ନାହିଁ ।