ବିଜେଡି ସଭାପତି ପଦ ପାଇଁ ଆସନ୍ତାକାଲି ନାମାଙ୍କନ ଭରିବେ ନବୀନ

0

ଭୁବନେଶ୍ୱର, ୧୬/୦୪: ବିଜେଡି ସଭାପତି ପଦ ପାଇଁ ପୁଣି ଥରେ ଆସନ୍ତାକାଲି ନାମାଙ୍କନ ଭରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୯ ତାରିଖରେ ଘୋଷଣା ହେବ ନୂଆ ସଭାପତିଙ୍କ ନାଁ। ଖୁବ୍‌ ଶୀଘ୍ର ଘୋଷଣା ହେବ ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ। ବିନା ବଳ କଷାକଷିରେ ୧୮ ସାଂଗଠନିକ ଜିଲ୍ଲା ପାଇଁ ସଭାପତିଙ୍କ ନାମ ଘୋଷଣା କରିଛି ବିଜୁ ଜନତା ଦଳ । ହେଲେ ବାକି ୧୫ଟି ସାଂଗଠନିକ ଜିଲ୍ଲା ପାଇଁ ଦଳକୁ ବେଶ୍‌ ନାକେଦମ ହେବାକୁ ପଡ଼ୁଛି । ଛିଣ୍ଡୁନି କେଁ । ହୋଇପାରୁନି ସହମତି । ଦଳର ବଡ଼ ନେତା ଲାଗିଛନ୍ତି ବୁଝାମଣାରେ । ଶୀଘ୍ର ସବୁ କିଛି ଠିକ୍‌ ହୋଇଯିବ ବୋଲି ଦଳୀୟ ନେତୃତ୍ୱ ଆଶା ବାନ୍ଧିଛନ୍ତି । ସବୁଠୁ ବେଶି ଅଡ଼ୁଆ ଉପକୂଳବର୍ତ୍ତୀ କଟକ ଜିଲ୍ଲାରେ । ଏଠି ଏତେ ଟାଣୁଆ ନେତା ଯେ କାହା କଥାରେ ଦଳ ମୋହର ମାରିବ, ବୁଝିପାରୁନି । ଜିଲ୍ଲାରେ ଦେବୀ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ ଜେନା, ଦେବାଶିଷ ସାମନ୍ତରାୟ, ପ୍ରଭାତ ବିଶ୍ୱାଳ, ଦେବୀ ତ୍ରିପାଠୀ, ଚନ୍ଦ୍ରସାରଥୀ ବେହେରା, ପ୍ରଶାନ୍ତ ବେହେରା, ସୁବାସ ସିଂଙ୍କ ଭଳି ଟାଣୁଆ ନେତା ଅଛନ୍ତି । ଚନ୍ଦ୍ରସାରଥୀଙ୍କ ପଛରେ ଦେବାଶିଷଙ୍କ ଓ ପ୍ରଶାନ୍ତଙ୍କ ପଛରେ ପ୍ରତାପଙ୍କ ସମର୍ଥନ ଥିବା କୁହାଯାଉଛି । ସୁବାସଙ୍କ ନାମ ମଧ୍ୟ ଚର୍ଚ୍ଚାରେ ଅଛି । କଟକ ନଗର ଜିଲ୍ଲା କମିଟିକୁ ନେଇ କେଁ ଛିଣ୍ଡୁନି । ଜ୍ଞାନେନ୍ଦ୍ର ଗିରି ଗୋସ୍ୱାମୀ ଓ ପ୍ରଫୁଲ୍ଲ ସିଂହ ଚର୍ଚ୍ଚାରେ ଅଛନ୍ତି ।

ହେଭିୱେଟ ନେତାଙ୍କ ଗଡ଼ ଓ ଟାଣୁଆ ଆମଦାନୀ ନେତାଙ୍କ ଜିଲ୍ଲା କେନ୍ଦ୍ରାପଡ଼ା ପାଇଁ ବି ବିଜେଡି ନେତୃତ୍ୱ ନାକେଦମ ହେଲେଣି । ଜିଲ୍ଲା ସଭାପତି ଚୟନ ନେଇ ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ, ଧ୍ରୁବ ସାହୁଙ୍କ ଭିତରୁ କାହା କଥାକୁ ଗୁରୁତ୍ୱ ଦେବେ, ଦଳ ବୁଝିପାରୁନି । ତା’ଭିତରେ ବିଧାୟକ ଗଣେଶ୍ୱର ବେହେରା ଓ ଅରବିନ୍ଦ ମହାପାତ୍ରଙ୍କ ଦବ୍‌ଦବାକୁ ଅଣଦେଖା କରିବା ସହଜ ନୁହେଁ । ସେପଟେ ଅଂଶୁମାନ ମହାନ୍ତିଙ୍କ ମନ ଊଣା କରିବାକୁ ଦଳ ଚାହୁଁନି । କିଛି ବି ଚୂଡ଼ାନ୍ତ ହୋଇପାରୁନି । ଭୁବନେଶ୍ୱର ଜିଲ୍ଲା ପାଇଁ ପୁଣି ଥରେ ବିଧାୟକ ସୁଶାନ୍ତ ରାଉତଙ୍କ ନାମକୁ ଦଳ ବିଚାର କରୁଛି । ମାତ୍ର ଏକାମ୍ରର ପୂର୍ବତନ ବିଧାୟକ ଅଶୋକ ପଣ୍ଡାଙ୍କ ପାଇଁ ଦାବି ବି ଉଠିଛି । ଅଶୋକଙ୍କୁ ମଧ୍ୟ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସମର୍ଥନ ଥିବାବେଳେ ସୁଶାନ୍ତଙ୍କ ସହ ଦଳର ବହୁ କର୍ପୋରେଟରଙ୍କ ସମର୍ଥନ ଥିବା କୁହାଯାଉଛି । ଅଶୋକ ଓ ଅନନ୍ତଙ୍କୁ ଦଳର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ନିର୍ବାଚନ ପୂର୍ବରୁ ଖୋଲା ବିରୋଧ କରୁଥିବାବେଳେ ଦଳ କ’ଣ କରିବ, ହରଡ଼ଘଣାରେ ପଡ଼ିଛି । ବଲାଙ୍ଗୀରରେ ଟୁକୁନି ସାହୁ ବନାମ କଳିକେଶ ନାରାୟଣ ସିଂହଦେଓ, ବାଲେଶ୍ୱରରେ ରବି ଜେନା ବନାମ ଜ୍ୟୋତି ପାଣିଗ୍ରାହୀ, କୋରାପୁଟରେ ଇଶ୍ୱର ପାଣିଗ୍ରାହୀ-ରବି ନନ୍ଦ ଓ ଭୃଗୁ ବକ୍ସିପାତ୍ର ଓ କଳାହାଣ୍ଡିରେ ଦିବ୍ୟଶଙ୍କର ମିଶ୍ର ବନାମ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ଟକରାଟକରି ସ୍ଥିତିରେ ପଡ଼ିଛି ଦଳ । ବାଲେଶ୍ୱରକୁ ୨ଟି ସାଂଗଠନିକ ଜିଲ୍ଲା କରି ଗୋଟିଏରେ ରବୀନ୍ଦ୍ର ଓ ଅନ୍ୟଟିରେ ଜ୍ୟୋତିଙ୍କୁ ଥଇଥାନ କରିବାକୁ ବିଜେଡି ନେତୃତ୍ୱ ବିଚାର କରୁଛନ୍ତି ।

ଗଞ୍ଜାମରେ ଏବେ ବି ୩ଟି ବ୍ଲକରେ ସଭାପତି ନିଯୁକ୍ତ ହୋଇନାହାନ୍ତି । ଏହାପରେ ଜିଲ୍ଲା ସଭାପତି ଘୋଷଣା ହେବେ । ମୟୂରଭଞ୍ଜ-୨ ପାଇଁ ଯୁବ ନେତା ଇଶାନ ମିଶ୍ର ଓ ପୂର୍ବତନ ସଭାପତି କାଶୀନାଥ ହେମ୍ବ୍ରମ ଲବି ଚଳାଇଛନ୍ତି । ଢେଙ୍କାନାଳରେ ସୁଧୀର ସାମଲ ଜିଲ୍ଲା ସଭାପତି ହେବାକୁ ଅଣ୍ଟା ଭିଡ଼ିଥିବାବେଳେ ପ୍ରଫୁଲ୍ଲ ମଲ୍ଲିକଙ୍କ ସମର୍ଥନ ରହିଛି ଧର୍ମାନନ୍ଦ ପରିଡ଼ାଙ୍କୁ । ନୃସିଂହ ସାହୁ ବି ନିଜ ଅନୁଗତଙ୍କୁ ଚାହୁଁଛନ୍ତି । ସମ୍ବଲପୁରରେ ରୋହିତ ପୂଜାରୀ ବନାମ ରେଙ୍ଗାଳି ବିଧାୟକ ସୁଦର୍ଶନ ହରିପାଲ, ରାୟଗଡ଼ାରେ ଏନ୍‌ ଭାସ୍କର ରାଓ-ସୁଧୀର ଦାସ ଲଢ଼େଇ ଥମିନଥିବାବେଳେ କେନ୍ଦୁଝରରେ ବଦ୍ରି ପାତ୍ରଙ୍କ ସମର୍ଥନରେ ଆଶିଷ ଚକ୍ରବର୍ତ୍ତୀ ଓ ସନାତନ ମହାକୁଡ଼ଙ୍କ ସମର୍ଥନରେ ମାଧବ ସର୍ଦ୍ଦାରଙ୍କ ଭିତରେ ଛକାପଞ୍ଝା ଲାଗି ରହିଛି । ରାଉରକେଲାରେ ବୀରେନ ସେନାପତିଙ୍କୁ ବିଧାୟକ ସାରଦା ନାୟକ ସମର୍ଥନ କରୁଥିବାବେଳେ ପ୍ରଶାନ୍ତ ସେଠୀ ବି ଆଗ୍ରହୀ ଅଛନ୍ତି । ସାରଦାଙ୍କ ନାମ ବି ଚର୍ଚ୍ଚାରେ ଅଛି । ଏମିତି ଚର୍ଚ୍ଚା ଭିତରେ ରାଜ୍ୟ ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବ କହିଛନ୍ତି, ଆମେ ତିନିଟି ପର୍ଯ୍ୟାୟ ଶେଷ କରି ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚିଲୁଣି । ଖୁବ୍‌ ଶୀଘ୍ର ଆମେ ଶେଷ ପର୍ଯ୍ୟାୟରେ ପହଞ୍ଚି ରାଜ୍ୟ ସଭାପତି ନିର୍ବାଚିତ କରିବୁ ।

Leave A Reply

Your email address will not be published.