ଗତକାଲି କେରଳ ପାଇଁ ଥିଲା କଳା ଦିନ : ଭୂସ୍ଖଳନରେ ୧୮ ମୃତ, ବିମାନ ଦୁର୍ଘଟଣାରେ ୧୭ ମୃତ

ତିରୁଅନନ୍ତପୁରମ, ୮/୮: କେରଳ ପାଇଁ ଶୁକ୍ରବାର ଥିଲା କଳା ଦିନ । ପ୍ରଥମେ ଇଡୁକୀ ଜିଲ୍ଲାରେ ଭୁସ୍ଖଳନ ଯୋଗୁଁ ଦୁର୍ଘଟଣା ହୋଇଛି । ସେହିପରି ସନ୍ଧ୍ୟା ସମୟରେ କୋଝିକୋଡ଼ରେ ବିମାନ ଦୁର୍ଘଟଣା ଘଟିଛି । ଉଭୟ ଦୁର୍ଘଟଣାରେ ମୋଟ ୩୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ବ୍ୟକ୍ତିଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରିପୋର୍ଟ ଅନୁସାରେ ଇଡୁକୀରେ ହୋଇଥିବା ଭୂସ୍ଖଳନରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୧୮ ପହଂଚିଥିବା ବେଳେ ବିମାନ ଦୁର୍ଘଟଣାରେ ୧୭ ଜଣ ପ୍ରାଣ ହରାଇଛନ୍ତି ।

କୋଝିକୋଡ଼ ବିମାନ ଦୁର୍ଘଟଣା ପରେ ସିଆଇଏସଏଫ ଓ ଏନଡିଆରଏଫ ଯବାନମାନେ ମିଳିତ ଉଦ୍ୟମରେ ବିପନ୍ନରେ ପଡ଼ିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଏହି ଘଟଣା ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ କେରଳ ରାଜ୍ୟପାଳଙ୍କ ସହ କଥା ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ମୁଖ୍ୟମନ୍ତ୍ରୀ ପୀନରୟୀ ବିଜୟନଙ୍କ ଠାରୁ ଘଟଣା ସଂପର୍କରେ ଅବଗତ ହୋଇଥିଲେ । ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉଦ୍ଧାର କାର୍ଯ୍ୟକୁ ତୀବ୍ର କରିବା ପାଇଁ ଏନଡିଆରଏଫକୁ ନିର୍ଦ୍ଦେଶ ଦେଇଥିଲେ ।