ମାଲଗାଡ଼ି ତଳେ ଚାଲିଗଲା ପ୍ରେମିକା ଜୀବନ : ପ୍ରେମିକାକୁ ବଞ୍ଚାଇବାକୁ ଯାଇ ପ୍ରେମିକ ହରାଇଲା ହାତ ଗୋଡ଼

ବାମରା,୨୭ /୧୨: ଟ୍ରେନରେ କଟି ପ୍ରେମିକାର ମୃତ୍ୟୁ ହୋଇଥିବା ବେଳେ ତାଙ୍କୁ ରକ୍ଷା କରିବାକୁ ଯାଇ ଗୋଡ଼ ହାତ ହରାଇଥିବା ପ୍ରେମିକ ଏବେ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ଆଜି ବାଗଡିହି ରେଳ ଷ୍ଟେସନରେ ଘଟିଛି। ଜଣେ ଯୁବତୀ ମାଲଗାଡ଼ି ତଳେ ଗଳି ରେଳଧାରଣା ପାରି ହେବାକୁ ଚେଷ୍ଟା କରୁଥିବା ବେଳେ ଟ୍ରେନରେ କଟି ପ୍ରାଣ ହରାଇଛନ୍ତି। ତାଙ୍କ ପ୍ରେମିକ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ନିଜର ଗୋଡ଼ ଓ ହାତ ହରାଇଛନ୍ତି। ଯୁବକ ଜଣକ ଗୁରୁତର ଅବସ୍ଥାରେ ଏବେ ବୁର୍ଲା ହସପିଟାଲରେ ଚିିକିତ୍ସିତ ହେଉଛନ୍ତି।

ସୂଚନା ମୁତାବକ ବ୍ରଜରାଜନଗର ନୂଆପଡ଼ା ଅଞ୍ଚଳର ରୋଶନ ମହାନନ୍ଦ(୨୦), ପାଖ ଟିନାପଡ଼ାର ତାଙ୍କ ପ୍ରେମିକା ​ସୋଫିଆ ଛତ୍ରିଆ (୧୯) ଓ ୩ ଜଣ ଘର ଲୋକଙ୍କ ସହିତ ତିନି ଦିନ ତଳେ ବାଗଡିହି ବୁଡ଼ାପଡ଼ାକୁ ବୁଲିବାକୁ ଆସିଥିଲେ। ସେମାନେ ରବିବାର ସକାଳେ ରାଉରକେଲା-ଝାରସୁଗୁଡ଼ା ମେମୁ ପ୍ୟାସେଞ୍ଜର ଟ୍ରେନରେ ଘରକୁ ଫେରିବା ପାଇଁ ବାଗଡିହି ରେଳଷ୍ଟେସନକୁ ଆସୁଥିଲେ। ସେତେବେଳେ ଷ୍ଟେସନରେ ଏକ ମାଲଗାଡ଼ି ଠିଆ ହୋଇଥିବାରୁ ସେମାନେ ତା’ତଳେ ଗଳି ପ୍ଲାଟଫର୍ମକୁ ଯିବାକୁ ଚିନ୍ତା କରିଥିଲେ। ରୋଶନ, ତାଙ୍କ ମାଁ ସତ୍ୟବତୀ, ଭଉଣୀ ଭାନୀ ଓ ରାନୀ ଜଣ ଜଣ କରି ସୁରକ୍ଷିତ ଅବସ୍ଥାରେ ଟ୍ରେନ ତଳୁ ଗଳି ସାରିଥିଲେ। କିନ୍ତୁ ସୋଫିଆ ଟ୍ରେନ ତଳେ ଗଳୁଥିବା ବେଳେ ଟ୍ରେନ ହଠାତ ଗଡ଼ିବା ଆରମ୍ଭ କରିଥିଲା। ସୋଫିଆ ଉପରେ ଟ୍ରେନ ମାଡ଼ି ଯାଉଥିବା ଦେଖି ପ୍ରେମିକ ରୋଶନ ତାଙ୍କୁ ଟ୍ରେନ ତଳୁ ଟାଣି ଆଣିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କ ଉଦ୍ୟମ ନି​ଷ୍ଫଳ ​‌ହୋଇଥିଲା। ସେମାନଙ୍କ ଆଖି ଆଗରେ ସୋଫିଆଙ୍କ ଶରୀର ଟ୍ରେନ ଚକାରେ କଟି ଦୁଇ ଖଣ୍ଡ ହୋଇ ଯାଇଥିଲା। ତାଙ୍କୁ ଚଳନ୍ତା ​‌େ​‌ଟ୍ରନ ତଳୁ ଟାଣି ଆଣିବାକୁ ଚେଷ୍ଟା କରୁଥିବା ରୋଶନଙ୍କ ଡାହାଣ ହାତ ଓ ଗୋଡ଼ ମଧ୍ୟ ଟ୍ରେନରେ କଟି ଯାଇଥିଲା। ତାଙ୍କ ପେଟ ଫାଟି ଅନ୍ତବୁଜୁଳା ବାହାରି ପଡ଼ିଥିଲା। ଘଟଣା ସ୍ଥଳରେ ସୋଫିଆଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ଗୁରୁତର ଆହତ ରୋଶନଙ୍କୁ ପ୍ରଥମେ ଝାରସୁଗୁଡ଼ା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।