ନୂଆଦିଲ୍ଲୀ, ୦୭/୦୮ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇବା ନେଇ ଘୋଷଣା କରିଦେଇଛନ୍ତି । ଏହି ନିର୍ଦ୍ଦେଶ ୨୧ ଦିନ ପରଠୁ ଅର୍ଥାତ୍ ୨୭ ଅଗଷ୍ଟରୁ ଲାଗୁ ହେବ । ପୂର୍ବରୁ ୩୦ ଜୁଲାଇରେ ସେ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇବା ନେଇ ଘୋଷଣା କରିଥିଲେ । ଅର୍ଥାତ୍ ଏବେ ଭାରତ ଉପରେ ସମୁଦାୟ ୫୦ ପ୍ରତିଶତ ଶୁଳ୍କ ଲାଗିବ । ହସ୍ତାକ୍ଷର ହୋଇଥିବା ନିର୍ଦ୍ଦେଶନାମାରେ ଋଷଠାରୁ ତେଲ କ୍ରୟ କରିବା ଯୋଗୁଁ ଭାରତ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଉଲ୍ଲେଖ ରହିଛି । କହିରଖୁଛୁ ଗତକାଲି ଟ୍ରମ୍ପ୍ କହିଥିଲେ କି ଭାରତ,ଋଷ ସହିତ ବ୍ୟାପାର କରି ୟୁକ୍ରେନ୍ ବିରୁଦ୍ଧରେ ଯୁଦ୍ଧକୁ ପ୍ରୋତ୍ସାହନ ଦେଉଛି । ଏହି କାରଣରୁ ଆମେରିକା କଡା କାର୍ଯ୍ୟାନୁଷ୍ଠାନ ଉଠାଇବା ଆବଶ୍ୟକ ବୋଲି ସେ କହିଥିଲେ ।