କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଦୀର୍ଘ ଦିନ ଧରି ଏସସିବିରେ ଥିଲା ଚିକିତ୍ସାଧୀନ

କଟକ, ୨୫/୧୧ : କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା ଓ କାଳିଆ ମଧ୍ୟରୁ କାଳିଆର ମୃତ୍ୟୁ ଘଟିଛି । ଆଜି କଟକ ସ୍ଥିତ ଏସସିବି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ କାଳିଆର ମୃତ୍ୟୁ ହୋଇଛି। ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁଙ୍କର ଦିଲ୍ଲୀ ସ୍ଥିତ ଏମ୍ସରେ ଅପରେସନ କରାଯାଇଥିଲା। ରାଜ୍ୟ ସରକାର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିଥିଲେ। ଚିକିତ୍ସା ପରେ ଦିଲ୍ଲୀ ଏମ୍ସରେ ଉଭୟ ଶିଶୁ ଦୀର୍ଘ ଦିନ ଧରି ଚିକିତ୍ସିତ ହୋଇଥିଲେ। ଜଗାର ସ୍ଵାସ୍ଥ୍ୟ ଭଲ ଥିବା ବେଳେ କାଳିଆର ସ୍ଵାସ୍ଥ୍ୟରେ ଉତ୍ସାହଜନକ ଉନ୍ନତି ଘଟୁନଥିଲା। ପରେ ଦୁଇ ଶିଶୁଙ୍କୁ ଦିଲ୍ଲୀରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଉଭୟ ଚିକିତ୍ସାଧୀନ ଥିବା ବେଳେ ବୁଧବାର ସନ୍ଧ୍ୟାରେ କାଳିଆର ମୃତ୍ୟୁ ହୋଇଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ତେବେ ଜଗାର ସ୍ଵାସ୍ଥ୍ୟ ଠିକ୍ ଥିବା ଜଣା ଯାଇଛି।

କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ୍‌ ଅନ୍ତର୍ଗତ ମିଲୁପଡ଼ା ଗ୍ରାମର ଯୋଡ଼ାମୁଣ୍ଡ ଶିଶୁ ଜଗା କାଳିଆ। ସେମାନଙ୍କର ଶରୀର ଅଲଗା ଥିଲେ ବି ଜନ୍ମରୁ ଦୁହିଁଙ୍କ ମୁଣ୍ଡ ଲାଗି ରହିଥିଲା। ସେମାନଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ଅପରେସନ୍‌ ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ୨୦୧୭ ମସିହା ଜୁଲାଇ ୧୪ ତାରିଖରେ ସେମାନଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ପରୀକ୍ଷା ନିରୀକ୍ଷା ପରେ ସେହି ବର୍ଷ ଅଗଷ୍ଟ ୨୮ ତାରିଖ ଦିନ ପ୍ରଥମ ଅପରେସନ୍‌ କରାଯାଇଥିଲା। ସେହି ଅପରେସନ୍‌ ପ୍ରାୟ ୨୫ ଘଣ୍ଟା ଲାଗିଥିଲା। ଏହାପରେ ଅକ୍ଟୋବର ୨୫ ତାରିଖରେ ଦ୍ବିତୀୟ ଅପରେସନ୍‌ ହୋଇଥିଲା। ଦୀର୍ଘ ୧୨ ଘଣ୍ଟାର ମାରାଥନ୍‌ ଅପରେସନ୍‌ ପରେ ଦୁଇ ଶିଶୁଙ୍କ ମୁଣ୍ଡ ଅଲଗା କରାଯାଇଥିଲା।

ବର୍ତ୍ତମାନ ସୋଆ ବିଶ୍ବବିଦ୍ୟାଳୟ କୂଳପତି ତଥା ବିଶିଷ୍ଟ ନ୍ୟୁରୋସର୍ଜନ ଡ. ଅଶୋକ ମହାପାତ୍ରଙ୍କ ନେତୃତ୍ବରେ ଦିଲ୍ଳୀ ଏମ୍ସରେ ସେମାନଙ୍କର ଅପରେସନ୍‌ କରାଯାଇଥିଲା। ଅପରେସନ୍‌ ପରେ ସ୍ବାଭାବିକ୍ ହେବାକୁ ଏମ୍ସର ସ୍ବତନ୍ତ୍ର ଓ୍ବାର୍ଡରେ ରଖାଯାଇଥିଲା। ଦୀର୍ଘ ୭୮୨ ଦିନ ଦିଲ୍ଲୀ ଏମ୍ସର ରହଣୀ ପରେ ସେଠାରୁ ଦୁଇ ଭାଇଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଆରମ୍ଭରୁ ଦୁଇ ଶିଶୁଙ୍କ ଅପରେସନ୍‌ ଏବଂ ଚିକିତ୍ସା ଲାଗି ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ସହ ସ୍ବତନ୍ତ୍ର ଡାକ୍ତରୀ ସୁବିଧା ବି ଯୋଗାଇଆସୁଛନ୍ତି।

୨୦୧୯ ସେପ୍ଟେମ୍ବରରେ ସେମାନଙ୍କୁ କଟକ ଅଣାଯାଇଥିଲା। ଏମ୍ସ ଡାକ୍ତରଙ୍କ ସହ ଯୋଗାଯୋଗରେ ଥିବା ଏସ୍‌ସିବିର ଏକ ୧୪ ଜଣିଆ ସ୍ବତନ୍ତ୍ର ଡାକ୍ତରୀ ଦଳ ଜଗା କାଳିଆଙ୍କ ସ୍ବାସ୍ଥ୍ୟ ଓ ଚିକିତ୍ସାର ତଦାରଖ କରୁଥିଲେ । ସେବେଠାରୁ ଦୁଇ ଶିଶୁ ବଡ଼ ଡାକ୍ତରଖାନାରେ ରହିଥିବା ବେଳେ ଜଗା ସମ୍ପୂର୍ଣ୍ଣ ସୁସ୍ଥ ରହିଛି କିନ୍ତୁ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ବେ କାଳିଆ ବୁଧବାର ଦିନ ଆଖି ବୁଜିଦେଇଛି।

ଏଠାରେ ଉଲ୍ଳେଖଯୋଗ୍ୟ ଯେ, ଅପରେସନ୍‌ ଦ୍ବାରା ଯୋଡ଼ା ମୁଣ୍ଡ ଶିଶୁଙ୍କୁ ଅଲଗା କରାଯିବା ଏବଂ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ହେବା ଅତି ବିରଳ ଘଟଣା। ଏହି ଘଟଣାରେ ୭୫ରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ଲାଇଫ୍‌ ରିସ୍କ ରହିଥାଏ। ବିଶ୍ବରେ ପ୍ରାୟ ୨୫ ଲକ୍ଷରେ ଏପରି ଗୋଟିଏ ଯୋଡ଼ା ମୁଣ୍ଡ ଶିଶୁ ଜନ୍ମଗ୍ରହଣ କରିଥାନ୍ତି। ଗତ ୫୦ ବର୍ଷ ମଧ୍ୟରେ ମାତ୍ର ଦୁଇ ତିନୋଟି ଘଟଣାରେ ଏଭଳି ବିରଳ ଅପରେସନ୍‌ ସଫଳ ହୋଇଥାଏ। ତେବେ ଦୀର୍ଘ ଚେଷ୍ଟା ପରେ କାଳିଆର ମୃତ୍ୟୁ ଏକ ଦୁଃଖଦ ଖବର ଆଣିଛି।