ସେଲଫି ନେବା ବେଳେ ନୃସିଂହନାଥ କପିଳଧାରରୁ ଖସି ୨ଯୁବକ ମୃତ

ପାଇକମାଳ, ୨୦/୮ : ସେଲଫି ହେଲା କାଳ, ଚାଲିଗଲା ଜୀବନ। ସାଙ୍ଗମେଳରେ ଖୁସି ହୋଇ ସେଲଫି ନେବା ୨ ଜଣ ଯୁବକଙ୍କୁ ମହଙ୍ଗା ପଡ଼ିଛି। ନିଜର ଅସାବଧାନତା ଲାଗି ସେମାନଙ୍କୁ ପ୍ରାଣ ହରାଇବାକୁ ପଡ଼ିଛି। ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନୃସିଂହନାଥସ୍ଥିତ କପିଳଧାରରେ ଆଜି ଏହି ଅଭାବନନୀୟ ଘଟଣା ଘଟିଛି। ମୃତକମାନେ ଝିପିକି ଗାଁର ବିଜୟ ମହାକୁଡ଼ (୧୮) କ୍ଷୀରୋଦ ସୋନି (୨୦) ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଝିପିକି ଗାଁର ବିଜୟ, କ୍ଷୀରୋଦ ଓ ସେମାନଙ୍କର ଅନ୍ୟ ଜଣେ ସାଙ୍ଗ ଆଜି ଅପରାହ୍ନ ପ୍ରାୟ ଅଢ଼େଇଟାରେ ନୃସିଂହନାଥସ୍ଥିତ କପିଳଧାରକୁ ଯାଇଥିଲେ। ଏହି ତିନି ଜଣ ଯୁବକ ନିଜ ଗାଁଠାରୁ ୧୫ କିଲୋମିଟର ବାଇକ୍‌ ଚଲାଇ ଝାରଣା ନିକଟରେ ପହଂଚିଥିଲେ। କପିଳଧାରରେ ପହଂଚିବା ପରେ ସେଠାରେ ୨ ଜଣ ଝରଣା ନିକଟରେ ଥିବା ଏକ ବଡ଼ ପଥର ଉପରେ ଛିଡ଼ା ହୋଇ ସେଲ୍‌ଫି ନେଉଥିବାବେଳେ ଖସିପଡ଼ିଥିଲେ।

ତେବେ ଅନ୍ୟ ଯୁବକଙ୍କ ଠାରୁ ସୂଚନା ମିଳିବା ପରେ ପାଇକମାଲ ଦମକଳ ବାହିନୀ, ପୁଲିସ, ନୃସିଂହନାଥ ବନ କର୍ମଚାରୀ ଓ ମନ୍ଦିର କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ୨ ମୃତଦେହକୁ ଉଦ୍ଧାର କରିଥିଲେ। ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ନୃସିଂହନାଥ କପିଳଧାର ଝରଣାରେ ଯାତ୍ରୀମାନଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି।