ପାରାଦ୍ୱୀପ,୧୨/୬ : ପାରାଦ୍ୱୀପର ନେହେରୁବଙ୍ଗଳା ମୁହାଣ ନିକଟରେ ଆଜି ମାଛଧରା ଡଙ୍ଗା ବୁଡି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ମତ୍ସ୍ୟଜୀବୀ ଗୁରୁତର ଆହତ ହୋଇଛନ୍ତି। ମୃତକ ଦୁଇଜଣ ହେଲେ ଗୁରୁଚାନ୍ଦ ରାଏ ଓ ବିଦୁଭୂଷଣ ମାଇତି।
ସୂଚନା ଯୋଗ୍ୟ, ମା କାଳୀ ନାମକ ଏକ ଡଙ୍ଗା ସାହାଯ୍ୟରେ ସମୁଦ୍ରକୁ ମାଛ ଧରିବା ପାଇଁ ଯାଉଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି । ଏହି ଡଙ୍ଗାରେ ୧୫ ଜଣ ମତ୍ସ୍ୟଜୀବୀ ମାଛ ମାରିବାକୁ ଯାଉଥିଲେ। ମାତ୍ର ହଠାତ ମୁହାଣ ନିକଟରେ ଉଚ୍ଚା ଢେଉ ମାଡ ଯୋଗୁଁ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡି ଯାଇଥିଲା। ଉକ୍ତ ସମୟରେ ଅନ୍ୟ ମତ୍ସ୍ୟଜୀବୀ ମାନେ ସେମାନଙ୍କୁ ଉଦ୍ଧାର କରିଥିବାକୁ ପ୍ରୟାସ କରିଥିଲେ। ସମୁଦ୍ରରେ ପ୍ରବଳ ଢେଉ ମାଡ ଯୋଗୁଁ ଯୋଗୁଁ ଉଦ୍ଧାର କାର୍ୟ୍ୟରେ ବିଳମ୍ବ ହୋଇଥିଲା। ମାତ୍ର ୧୩ ଜଣ ମତ୍ସ୍ୟଜୀବୀଙ୍କୁ ଅନ୍ୟ ଡଙ୍ଗାରେ ଉଦ୍ଧାର କରାଯାଇଥିବା ବେଳେ ଦୁଇଜଣଙ୍କ ମୃତ୍ୟୁ ହୋଇଯାଇଥିଲା। ସମସ୍ତ ମତ୍ସ୍ୟଜୀବୀଙ୍କୁ ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଥିବା ବେଳେ ପୁଲିସ ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି।