ଦିବାଲୋକରେ ଦୁଇ ଛାତ୍ରଙ୍କୁ ଗୁଳି କରି ହତ୍ୟା

ହରିୟାଣା,୪ /୩ : ହରିୟାଣାରେ ସ୍ପଷ୍ଟ ଦିବାଲୋକରେ ଦୁଇ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୋନୀପତ୍‌ର ମୋହାନା ଅଞ୍ଚଳରେ ୮ନମ୍ବର ଡ୍ରେନ ନିକଟରେ ଗୁରୁବାର ସକାଳେ ଏହି ହତ୍ୟାକାଣ୍ଡ ଘଟିଛି। ଆକ୍ରମଣରେ ଜଣେ ଛାତ୍ର ଘଟଣାସ୍ଥଳରେ ପ୍ରାଣ ହରାଇଥିବାବେଳେ ଅନ୍ୟ ଜଣେ ହସ୍ପିଟାଲରେ ଆଖି ବୁଜିଛନ୍ତି। ପୁଲିସ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଚଳାଇଛି।

ସୂଚନା ଅନୁସାରେ, ରଭଡ଼ା ଗାଁର ରୋହିତ ଏବଂ ଏସପି ମାଜରା ଗାଁର ସାହିଲ ଗୋହାନାରେ ଥିବା ଏକ ବୈଷୟିକ ଅନୁଷ୍ଠାନରେ ପଢୁଥିଲେ। ଉଭୟେ ଗୁରୁବାର ସକାଳେ ଗୋହାନା ଆସିଥିଲେ। ପୂର୍ବାହ୍ନ ପ୍ରାୟ ୧୦ଟାରେ ସେମାନେ ଯେତେବେଳେ ୮ ନମ୍ବର ଡ୍ରେନ ନିକଟରେ ପହଞ୍ଚିଥିଲେ, ସେତେବେଳେ ଆକ୍ରମଣକାରୀମାନେ ପହଞ୍ଚି ସେମାନଙ୍କ ଉପରକୁ ୮/୧୦ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ରୋହିତଙ୍କ ଶରୀରରେ ୫ଟି ଗୁଳି ବାଜିଥିଲାବେଳେ ସେ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ତାଙ୍କ ସାଙ୍ଗଙ୍କ ଶରୀରରେ ୩ଟି ଗୁଳି ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଖବର ପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏ ସମ୍ପର୍କରେ ଛାତ୍ରମାନଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିବା ପୁଲିସ କହିଛନ୍ତି। ସେମାନଙ୍କର ବୟାନ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ।