ଶ୍ରୀନଗର, ୨୨/୧୦ : ଜାମ୍ମୁ-କାଶ୍ମୀରରେ ଆଜି ଦୁଇ ଜଣ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି। ଏନେଇ ରାଜ୍ୟ ପୋଲିସ୍ ଆଇଜି ସୂଚନା ଦେଇଛନ୍ତି। ଏହି ଆତ୍ମସମର୍ପଣ ଏନକାଉଣ୍ଟର ସାଇଟରେ ଆତଙ୍କବାଦୀଙ୍କ ପରିବାରକୁ ଆଣିବା ପରେ ହୋଇଛି।
ଉତ୍ତର କାଶ୍ମୀରର ସୋପୋରର ତୁଜ୍ଜର ଅଞ୍ଚଳରେ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଘେରି ନେଇଥିଲେ। ଜାମ୍ମୁ-କାଶ୍ମୀର ପୋଲିସର ଆଇଜି କହିଛନ୍ତି ଯେ ସେମାନେ ଆତଙ୍କବାଦୀଙ୍କ ପରିବାରକୁ ଏନକାଉଣ୍ଟର ସାଇଟରେ ନେଇ ଆସିଥିଲେ। ପରିବାର ଲୋକେ କହିବାରୁ ୨ ଆତଙ୍କବାଦୀ ଆତ୍ମସମର୍ପଣ କରିଥିଲେ। ତୁଜ୍ଜର ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚିଥିବାର ଖବର ମିଳିଥିଲା। ଏହା ପରେ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଇଥିଲା। ଏହି ସମୟରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଅପିଲ କରିଥିଲେ ଯାହାକୁ ଆତଙ୍କବାଦୀମାନେ ମାନି ନେଇଥିଲେ ଏବଂ ଅସ୍ତ୍ରଶସ୍ତ୍ର ପକାଇ ଦେଇଥିଲେ।
କୁହାଯାଉଛି ଯେ ୨ଯୁବକ କିଛି ଦିନ ତଳେ ଆତଙ୍କବାଦୀ ସଙ୍ଗଠନ ଅଲ ବଦରରେ ସାମିଲ ହୋଇଥିଲେ। ଜାମ୍ମୁ-କାଶ୍ମୀର ପୋଲିସ୍ ଏହାକୁ ବଡ଼ ସଫଳତା ବୋଲି ମନେ କରୁଛି।