ଜମ୍ମୁ-କଶ୍ମୀରରେ ସୁରକ୍ଷା ବାହିନୀ-ଆତଙ୍କବାଦୀ ଗୁଳିବିନିମୟ : ୨ଜଣ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ, ୨୮/୭ : ଜମ୍ମୁ-କଶ୍ମୀରର ଶୋପିଆଁ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିବା ବେଳେ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଗୁପ୍ତ ସୂଚନା ମିଳିବା ପରେ ଜମ୍ମୁ-କଶ୍ମୀର ପୁଲିସ ଏବଂ ସୁରକ୍ଷା ବାହିନୀ ଦ୍ୱାରା ମିଳିତ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଆତଙ୍କବାଦୀମାନେ ଶୋପିଆଁର କିଲୁରା ଅଞ୍ଚଳରେ ଲୁଚି ରହିଥିବା ଜାଣି ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ କରିଥିଲା।

ତେବେ କିଛି ଦିନ ହେବ ଉପତ୍ୟକାରେ ଆତଙ୍କବାଦୀଙ୍କୁ ଟାର୍ଗେଟ କରି ସୁରକ୍ଷା ବାହିନୀ ପକ୍ଷରୁ ନିରନ୍ତର ସର୍ଚ୍ଚ ଅପରେସନ୍ ଚାଲୁ ରହିଛି। ଏହି ସପ୍ତାହରେ ବାରାମୁଲାର କେରି ଅଞ୍ଚଳରେ ହୋଇଥିବା ଏକ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀକୁ ହତ୍ୟା କରିଥିଲେ ସୁରକ୍ଷା କର୍ମୀ । ଏଥି ସହିତ, ଅଗଷ୍ଟ ୨୦ରେ, ହନ୍ଦୱାଡା ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରି ଦୁଇ ଆତଙ୍କବାଦୀଙ୍କୁ ନିହତ କରିଥିଲା ଭାରତୀୟ ସେନା। ମୃତ ଦୁଇ ଆତଙ୍କବାଦୀ ଲସ୍କର-ଏ-ତୋଇବାର ବୋଲି ସୁରକ୍ଷା ବାହିନୀ ପକ୍ଷରୁ ସୂଚନା ଦିଆଯାଇଥିଲା। ୨୦୨୦ ରେ ଜମ୍ମୁ-କଶ୍ମୀରରେ ସୁରକ୍ଷା ବାହିନୀ ଦ୍ୱାରା ଶହେରୁ ଅଧିକ ଆତଙ୍କବାଦୀ ନିହତ କରିଥିବା ଜଣା ପଡ଼ିଛି।