ଭୁବନେଶ୍ବର : ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଯୁକ୍ତ୩ କଲେଜରେ ନାମଲେଖା ପ୍ରକ୍ରିୟା ଖୁବ୍ଶୀଘ୍ର ଆରମ୍ଭ ହେବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ୪ଟି ବିଶ୍ବବିଦ୍ୟାଳୟକୁ ଚିଠି ଲେଖାଯାଇ ସେମାନଙ୍କଠାରୁ ପ୍ରସ୍ତାବ ମଗାଯାଇଛି। ସାମ୍ସ ମାଧ୍ୟମରେ ଯୁକ୍ତ୩ରେ ନାମଲେଖାଉ ନ ଥିବା ଏବଂ ନୂଆ କରି ସୃଷ୍ଟି ହୋଇଥିବା ବିଶ୍ବବିଦ୍ୟାଳୟକୁ ବିଭାଗ ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଛି। ଜୁନ୍ ୧୬ ସୁଦ୍ଧା ସେମାନେ ନିଜର ମତାମତ ଜଣାଇବାକୁ ବିଭାଗୀୟ ଉପ ନିର୍ଦେଶକ ରାଜେଶ କୁମାର ସାହୁ କହିଛନ୍ତି।
ସୂଚନା ଅନୁଯାୟୀ ଯୁକ୍ତ୩ ନାମଲେଖା ପାଇଁ ରେଭେନ୍ସା ବିଶ୍ବବିଦ୍ୟାଳୟ ସମେତ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ନିଜର ସ୍ବତନ୍ତ୍ର ନାମଲେଖା କରୁଛନ୍ତି। ଯାହାକୁ ନେଇ ବିଭିନ୍ନ ସମୟରେ ବିବାଦ ମଧ୍ୟ ଦେଖାଦେଉଛି। ତେଣୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସାମ୍ସ ମାଧ୍ୟମରେ ପ୍ରତିବର୍ଷ ହେଉଥିବା ନାମଲେଖା ପ୍ରକ୍ରିୟାରେ ସାମିଲ ହେବା ଲାଗି ଏହି ଦୁଇ ବିଶ୍ବବିଦ୍ୟାଳୟକୁ ପ୍ରସ୍ତାବ ଦିଆଯାଇଛି। ଏହାବ୍ୟତୀତ ନୂଆ କରି ପ୍ରତିଷ୍ଠା ହୋଇଥିବା କଳାହାଣ୍ଡି ବିଶ୍ବବିଦ୍ୟାଳୟ ଓ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର କଲେଜଗୁଡ଼ିକ ଏପର୍ଯ୍ୟନ୍ତ ସାମ୍ସରେ ସାମିଲ ହୋଇନାହାନ୍ତି। ତେଣୁ ଶ୍ରୀ ସାହୁ ସମସ୍ତ ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକଙ୍କୁ ଚିଠି ଲେଖି ଶିକ୍ଷାନୁଷ୍ଠାନ ଅଧୀନରେ କେତେ ସଂଖ୍ୟକ କଲେଜ ଅଛନ୍ତି, କ’ଣ ସବୁ ବିଷୟ (ଅନର୍ସ ଓ ଇଲେକ୍ଟିଭ୍) ରହିଛି, ଅନୁମୋଦିତ ସିଟ୍ ସଂଖ୍ୟା, କଲେଜ ଅଧ୍ୟକ୍ଷ, ନାମଲେଖା ଦାୟିତ୍ବରେ ଥିବା ଅଧିକାରୀ ଓ ଡିଇଓଙ୍କ ନାମ, ମୋବାଇଲ୍ ନମ୍ବର, ଇମେଲ୍ ଆଇଡି ୧୬ ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି।