‘ଫାଇଜର-ବାୟୋଏନ୍ଟେକ୍‌’ କୋଭିଡ୍‌-୧୯ ଟିକାକୁ ସର୍ବସାଧାରଣ ବ୍ୟବହାର ପାଇଁ ଅନୁମତି ଦେଲା ବ୍ରିଟେନ

ଲଣ୍ଡନ, ୨/୧୨ : ବିଶ୍ୱର ପ୍ରଥମ ଦେଶ ଭାବେ ବ୍ରିଟେନ୍‌ ‘ଫାଇଜର-ବାୟୋଏନ୍ଟେକ୍‌’ କୋଭିଡ୍‌-୧୯ ଟିକାକୁ ସର୍ବସାଧାରଣ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି । ୯୫ ପ୍ରତିଶତ ସଫଳ ଫାଇଜର ଟିକାକୁ ବ୍ରିଟେନ ସରକାର ଅନୁମତି ପ୍ରଦାନ କରିବା ପରେ ଏବେ ଏହାକୁ ଲୋକଙ୍କ ଶରୀରରେ ପ୍ରୟୋଗ କରାଯିବ ବୋଲି ଜଣାପଡ଼ିଛି। ଆସନ୍ତା ସପ୍ତାହରୁ ଏହି ଟିକା ମିଳିବ ବୋଲି ଇଂଲଣ୍ଡ୍‌ ସରକାର ଏକ ବିବୃତିରେ କହିଛନ୍ତି।

କିଛିଦିନ ହେଲା ଫାଇଜର କମ୍ପାନୀ ଘୋଷଣା କରିଥିଲା ଯେ କମ୍ପାନୀ କରୋନା ଟିକା ପ୍ରସ୍ତୁତିରେ ସଫଳ ହୋଇଛି। ଏହି ଟିକା କରୋନା ଭାଇରସ୍ ବିରୋଧରେ ୯୫ ପ୍ରତିଶତ ସଫଳ ବୋଲି କୁହାଯାଉଛି। ଗତକାଲି ଜର୍ମାନୀର ବାୟୋଫାର୍ମାସ୍ୟୁଟିକାଲ୍ସ କମ୍ପାନୀ ବାୟୋଏନଟେକ୍ ଓ ତାର ଆମେରିକୀୟ ସହଭାଗୀ କମ୍ପାନୀ ଫାଇଜର୍ ପକ୍ଷରୁ ୟୁରୋପୀୟ ରାଷ୍ଟ୍ରସଂଘ ଆଗରେ ଭ୍ୟାକସିନ୍ ରେଜିଷ୍ଟ୍ରେସନ ପାଇଁ ଔପଚାରିକ ଆବେଦନ କରାଯାଇଥିଲା।

ବ୍ରିଟେନର ମେଡିସିନ୍ ଆଣ୍ଡ୍ ହେଲଥକେୟାର ରେଗୁଲେଟୋରି ଅଥରିଟି -MHRA ଏହି ଟିକାକୁ ମଞ୍ଜୁରି ପ୍ରଦାନ କରିଛି। ଟିକା କରଣର କଠୋର ମାନ ପରୀକ୍ଷଣ ଏହି ଟିକା କରିପାରୁଛି କି ନାହିଁ ତାହା MHRA ନିର୍ଦ୍ଧାରିତ କରିଥାଏ। ବ୍ରିଟେନରେ ଆସନ୍ତା ସପ୍ତାହ ପ୍ରାରମ୍ଭରୁ ଏହି ଟିକାକରଣ ଆରମ୍ଭ ହେବ ବୋଲି ସ୍ବାସ୍ଥ୍ୟ ସଚିବ ମ୍ୟାଟ୍ ହାନକକ୍ ସୂଚନା ଦେଇଛନ୍ତି। ଏଥିପାଇଁ ବ୍ରିଟେନ ସରକାର ଫାଇଜର୍ କମ୍ପାନୀକୁ ୪୦ ମିଲିୟନ ଡୋଜ୍ ଅର୍ଡର ଦେଇସାରିଛନ୍ତି। ଏହାକୁ ୨୦ ମିଲିୟନ ଲୋକଙ୍କ ଠାରେ ବ୍ୟବହାର କରାଯିବ। ଏହା ଅର୍ଥ ପ୍ରତି ବ୍ୟକ୍ତି ଫାଇଜର୍ ଟିକାର ୨ଟି ଡୋଜ୍ ନେବେ।