ରୁଷ ଉପରେ ୟୁକ୍ରେନର ଏୟାର ଷ୍ଟ୍ରାଇକ୍ : ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ପ୍ରଥମ ଘଟଣା

ନୂଆଦିଲ୍ଲୀ,୧/୪: ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ଥମିବା ପରିବର୍ତ୍ତେ ବଢିବାରେ ଲାଗିଛି । ଏହାରି ଭିତରେ ୟୁକ୍ରେନ ରୁଷ ସୀମାରେ ପଶି ଆକ୍ରମଣ କରିଥିବା ମସ୍କୋ ଅଭିଯୋଗ କରିଛି । ରୁଷର ଅଭିଯୋଗ ୟୁକ୍ରେନ ଏହାର ସୀମାର ୨୫ କିଲୋମିଟର ଭିତରେ ପ୍ରବେଶ କରି ଏକ ତେଲ ଡିପୋ ଉପରେ ଆକ୍ରମଣ କରିଛି । କିଛି ଦିନ ପୂର୍ବେ ବିଶେଷଜ୍ଞମାନେ ଦାବି କରିଥିଲେ, ରୁଷ ନିଜ ଅଞ୍ଚଳରେ ବିସ୍ଫୋରଣ କରି ଏଥିପାଇଁ ୟୁକ୍ରେନକୁ ଦାୟୀ କରିପାରେ। ଏବେ ରୁଷର ଏହି ଅଭିଯୋଗ କିଛି ଭିନ୍ନ ସଂକେତ ଦେଉଛି। ରୁଷ ଅଧିକାରୀ ଗ୍ଲାଡକୋଭ କହିଛନ୍ତି, ୟୁକ୍ରେନର ଦୁଇଟି ସୈନ୍ୟ ହେଲିକପ୍ଟର ସାହାଯ୍ୟରେ ଏହି ଆକ୍ରମଣ କରାଯାଇଛି।

ରୁଷର ଅଭିଯୋଗ ୟୁକ୍ରେନର ଦୁଇଟି ହେଲିକପ୍ଟର ୱେଲଗୋରୋଦ ସହରରେ ପଶି ଏସ-୮ ରକେଟ ଜରିଆରେ ଆକ୍ରମଣ କରିଛି । ମସ୍କୋର ଏହି ଦାବି ଯଦି ସତ, ତେବେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ରୁଷ ଉପରେ ଅନ୍ୟ କୌଣସି ଦେଶ ଏୟାର ଷ୍ଟ୍ରାଇକ କରିବା ପ୍ରଥମ ଘଟଣା। ୟୁକ୍ରେନ ଯେଉଁ ତେଲ ଡିପୋ ଉପରେ ଆକ୍ରମଣ କରିଛି ତାହା ରୁଷର ସରକାରୀ କମ୍ପାନୀ ରୋଜନେଫ୍ଟ ଦ୍ୱାରା ପରିଚାଳିତ। ଏହି ଆକ୍ରମଣରେ କମ୍ପାନୀର ଦୁଇ ଜଣ କର୍ମଚାରୀ ଆହତ ହୋଇଛନ୍ତି। ଏହାଛଡା ଆଖପାଖ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।