ଭୁବନେଶ୍ୱର, ୧୩/୦୨ : ଏସିଆ ମହାଦେଶର ଗ୍ରାମାଞ୍ଚଳରେ ଥିବା ୯୦ ପ୍ରତିଶତରୁ ଅଧିକ ବୌଦ୍ଧ ଐତିହ୍ୟ ସ୍ଥଳ ଅସୁରକ୍ଷିତ ରହିଥିବା ବେଳେ ଏ ସଂପର୍କରେ ଭାରତ, ଚୀନ୍ , କୋରିଆ ଓ ଜାପାନର ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି । କିଟ୍ ଓ କିସ୍ ଏହି ସବୁ ଐତିହ୍ୟ ସ୍ଥଳର ସୁରକ୍ଷା କିପରି କରାଯାଇପାରିବ ସେ ନେଇ ପଦକ୍ଷେପ ଗ୍ରହଣ କରିବ । ଇଣ୍ଡିଆନ୍ ଟ୍ରଷ୍ଟ ଫର୍ ରୁରାଲ ହେରିଟେଜ୍ ଆଣ୍ଡ୍ ଡେଭେଲପମେଣ୍ଟ ଦ୍ୱାରା ଗ୍ରାମାଞ୍ଚଳରେ ଅସୁରକ୍ଷିତ ବୌଦ୍ଧ ଐତିହ୍ୟ ସ୍ଥଳର ସଂରକ୍ଷଣ ଓ ପରିଚାଳନା ପାଇଁ ଏକ ଅନ୍ତର୍ଜାତୀୟ ଏକାଡେମୀ ପ୍ରତିଷ୍ଠା ହେବାକୁ ଯାଉଛି । କିସ୍ ବିଶ୍ୱବିଦ୍ୟାଳୟର ଉପକୁଳାଧିପତି ପ୍ରଫେସର ଅମରେଶ୍ୱର ଗାଲା ଏହି ଏକାଡେମୀର ନେତୃତ୍ୱ ନେବେ ।
କିଟ୍ ଲ ସ୍କୁଲରେ ଏହି ପାଠ୍ୟକ୍ରମ ଆରମ୍ଭ ହେବା ପରେ ଏହା ଦକ୍ଷିଣ ଏସିଆରେ ପ୍ରଥମ ଶୈକ୍ଷିକ କାର୍ଯ୍ୟକ୍ରମ ହେବ ବୋଲି କୁହାଯାଉଛି । ପ୍ରଫେସର ଗାଲା ଗତ ବର୍ଷ ଏକ ପ୍ରମୁଖ ଅନ୍ତର୍ଜାତୀୟ ସମ୍ମିଳନୀରେ ଏହି ଏକାଡେମୀ ନିମନ୍ତେ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ସେହି ପ୍ରସ୍ତାବକୁ ଆଧାର କରି ବିଶ୍ୱସ୍ତରୀୟ ବିଶେଷଜ୍ଞମାନଙ୍କର ଏକ ପ୍ରତିନିଧି ଦଳ ଗତ ୭ ତାରିଖରେ ନୂଆଦିଲ୍ଲୀରେ ଏହି ଏକାଡେମୀର ଗଠନ, ପାଠ୍ୟକ୍ରମ ଓ ଦୀର୍ଘକାଳୀନ ରୋଡ୍ମ୍ୟାପ୍ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଆଲୋଚନା ସମୟରେ ଗ୍ରାମୀଣ ପ୍ରେକ୍ଷାପଟ୍ଟରେ ଅସୁରକ୍ଷିତ ବୌଦ୍ଧ ସ୍ଥଳଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଆଇନଗତ ଢାଞ୍ଚା, ସ୍ଥାନୀୟ ଲୋକଙ୍କ ଭାଗୀଦାରି ଓ ନୈତିକ ପରିଚାଳନା ସମନ୍ୱିତ ମଡେଲର ଆବଶ୍ୟକତା ଉପରେ ପ୍ରଫେସର ଗାଲା ଗୁରୁତ୍ୱାରୋପ କରିଥିଲେ । ଏହି ପ୍ରୟାସ ଓଡ଼ିଶା ପାଇଁ ବିଶେଷ ଗୁରୁତ୍ୱ ବହନ କରେ । ସଂପ୍ରତି ୟୁନେସ୍କୋ ଏକ କ୍ରମିକ ନାମାଙ୍କନ ମାଧ୍ୟମରେ ରାଜ୍ୟର ପ୍ରସିଦ୍ଧ ବୌଦ୍ଧ ସ୍ୱର୍ଣ୍ଣ ତ୍ରିଭୁଜ – ରତ୍ନଗିରି, ଉଦୟଗିରି ଓ ଲଳିତଗିରିକୁ ବିଶ୍ୱ ଐତିହ୍ୟ ମାନ୍ୟତା ପ୍ରଦାନ ପାଇଁ ଭାରତର ଅସ୍ଥାୟୀ ତାଲିକାରେ ଅନ୍ତର୍ଭୁକ୍ତ କରିଛି । ଯଦି ଏହାକୁ ପୂର୍ଣ୍ଣ ବିଶ୍ୱ ଐତିହ୍ୟ ମାନ୍ୟତା ମିଳେ, ତେବେ ପ୍ରସ୍ତାବିତ ଶୈକ୍ଷିକ କାର୍ଯ୍ୟକ୍ରମ ଓ ଅନ୍ତର୍ଜାତୀୟ ଏକାଡେମୀ ଏହି ଐତିହାସିକ ସ୍ଥଳଗୁଡ଼ିକୁ ପରିଚାଳନା, ସଂରକ୍ଷଣ ଓ ଆଇନଗତ ସୁରକ୍ଷା ଦେବାରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି କୁହାଯାଉଛି ।