କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ବୋନସ୍ ; ଅନୁମୋଦନ କଲା କ୍ୟାବିନେଟ୍‌

ନୂଆଦିଲ୍ଲୀ, ୨୧/୧୦ : ଦଶହରା ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ସରକାର ବୋନସ ଘୋଷଣା କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ପ୍ରଡକ୍ଟଭିଟି ଲିଙ୍କଡ ଓ ନନ୍ ପ୍ରଡକ୍ଟଭିଟି ଲିଙ୍କଡ ବୋନସ ୨୦୧୯-୨୦ ଘୋଷଣା କରିଛନ୍ତି। ଏହି ବୋନସ୍ ୩୦.୬୭ ଲକ୍ଷ ଅଣଗେଜେଟେଡ୍ କର୍ମଚାରୀଙ୍କୁ ଉପକୃତ କରିବ। ଏଥିନିମନ୍ତେ ସମୁଦାୟ ୩, ୭୩୭ କୋଟି ବ୍ୟୟ ହେବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି

ସେ କହିଛନ୍ତି, ବିଜୟାଦଶମୀ ପୂର୍ବରୁ ଡାରେକ୍ଟ ବେନିଫିଟ୍ ଟ୍ରାନ୍ସଫର(ଡିବିଟି) ସିଷ୍ଟମ ଦ୍ୱାରା ଏହି ବୋନସ ପ୍ରଦାନ କରାଯିବ।ଏହାପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କର୍ମଚାରୀଙ୍କ ପାଇଁ ଏଲଟିସି କ୍ୟାଶ ଭାଉଚର ସ୍କିମ ଓ ସ୍ୱତନ୍ତ୍ର ପୂଜା ଆଡଭାନ୍ସ ସ୍କିମ ଘୋଷଣା କରିଥିଲେ। ଦେଶ କରୋନା ସଙ୍କଟ ମଧ୍ୟରେ ଗତି କରୁଥିବାରୁ କେନ୍ଦ୍ର ସରକାର ପୂଜା ପାଇଁ ବୋନସ ଦେବେ କି ନାହିଁ, ତା’କୁ ସନ୍ଦେହ ଉପୁଜିଥିଲା। ଏପରି କି କରୋନାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା ମଧ୍ୟ ବନ୍ଦ କରିଦେଇଥିଲେ। ହେଲେ ଆଜି କେନ୍ଦ୍ର ସରକାର ପିଏଲବି ଓ ନନ୍ ପିଏଲବି ଘୋଷଣା କରିଛନ୍ତି।

ପିଏଲବି ଦ୍ୱାରା ରେଲବାଇ, ପୋଷ୍ଟ, ପ୍ରତିରକ୍ଷା, ଇପିଏଫଓ ଓ ଇଏସଆଇସିରେ କାମ କରୁଥିବା ୧୬.୯୭ ଲକ୍ଷ ନନ୍ ଗେଜେଟେଡ୍ କର୍ମଚାରୀଙ୍କୁ ବୋନସ ମିଳିବ। ସେହିପରି ନନ୍ ପିଏଲବି ଦ୍ୱାରା ୧୩.୭୦ ଲକ୍ଷ ନନ୍ ଗେଜେଟେଡ୍ କେନ୍ଦ୍ରୀୟ କର୍ମଚାରୀଙ୍କୁ ବୋନସ ମିଳିବ।