ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା : ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୭/୧୦ : ଭୁବନେଶ୍ୱର ସ୍ଥିତ ରାଜଭବନ ନିକଟ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ନିଆଁ ଲାଗି ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାକୁ ଗୁରୁତର ସହ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଦନ୍ତ କରିବାକୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗର ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ସେ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଶୀଘ୍ର ଆରୋଗ୍ୟ ହୋଇ ଫେରିବେ ବୋଲି କାମନା କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଟ୍ଵିଟ୍ କରି ଲେଖିଛନ୍ତି ଯେ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗର ସଚିବଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି। ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ଇଣ୍ଡିଆନ୍ ଅଏଲର ଅଧିକାରୀମାନଙ୍କ ସହ ଆଲୋଚନା କରି ତୁରନ୍ତ ଘଟଣାର ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି।

ଉଲ୍ଲେଖଯୋଗ୍ୟ, ଆଜି ମଧ୍ୟାହ୍ନରେ ରାଜଭବନ ନିକଟର ଏକ ପେଟ୍ରୋଲ ପମ୍ପରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ପ୍ରଚଣ୍ଡ ବିସ୍ଫୋରଣ ସହ ପେଟ୍ରୋଲ ପମ୍ପରେ ନିଆଁ ଲାଗିଯାଇଥିଲା । ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ ପୂରା ଅଞ୍ଚଳ ଥରି ଉଠିଥିଲା । ଗ୍ୟାସ ଲିକ ଯୋଗୁ ଏହି ନିଆଁ ଲାଗିଥିବା ଜଣାପଡିଛି । ନିଆଁ ଲାଗିବା କ୍ଷଣି ପୂରା ଅଞ୍ଚଳ ଛିନଛତ୍ର ହୋଇପଡିଛି । ପୂରା ଆକାଶେ ଉଚ୍ଚାରେ ନିଆଁ ଜଳିଉଠିଥିଲା । ଏହି ଘଟଣାରେ ୬ ଜଣ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଏସସିବି ସ୍ଥାନାନ୍ତର କରାଯାଇଛି।

ସେପଟେ ଏହି ଅଘଟଣରେ ଆହତ ହୋଇଥିବା ଲୋକମାନଙ୍କୁ ମାଗଣା ଚିକିତ୍ସା ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବେଳେ ଆରୋଗ୍ୟ କାମନା କରିଛନ୍ତି।