ପଦ୍ମପୁର,୨୯/୧୧: ପଦ୍ମପୁର ଉପନିର୍ବାଚନ ପ୍ରଚାର ମଇଦାନକୁ ଆଜି ଓହ୍ଲାଇଛନ୍ତି ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ପଦ୍ମପୁର ନିର୍ବାଚନ ମଣ୍ଡଳିର ବିଭିନ୍ନ ସ୍ଥାନରେ ଜନସଭା, ରୋଡସୋ’ ଏବଂ ପଦଯାତ୍ରା କରିଛନ୍ତି। ସକାଳ ସାଢ଼େ ୧୧ଟାରୁ ତାଙ୍କର ପ୍ରଚାର କାର୍ଯ୍ୟକ୍ରମ ଜାରି ରହିଛି। କେନ୍ଦ୍ରମନ୍ତ୍ରୀ ପ୍ରଧାନ ତାଙ୍କର ଭାଷଣରେ ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଜବରଦସ୍ତ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ୨୨ ବର୍ଷ ଧରି ଓଡ଼ିଶାରେ ଶାସନ କଲା ବିଜେଡି ସରକାର। କିନ୍ତୁ ଏ ସମୟ ଭିତରେ ଲୋକଙ୍କୁ ବିଜେଡି ସରକାର କାମ ଯୋଗାଇ ପାରିଲେ ନାହିଁ। ଯେଉଁଥିପାଇଁ ଆଜି ଲକ୍ଷ ଲକ୍ଷ ଲୋକ ଦାଦନ ଖଟିବାକୁ ଯାଉଛନ୍ତି। ଆଉ ନିର୍ବଚନ ବେଳେ ସବୁଠି ମୁଖ୍ୟମନ୍ତ୍ରୀ କହୁଛନ୍ତି ‘ଦାୟିତ୍ବ ମୋର’ । କିନ୍ତୁ ମୁଖ୍ୟମନ୍ତ୍ରୀ କିପରି ଦାୟିତ୍ବ ନିର୍ବାହ କରିଛନ୍ତି ସେ ନେଇ ବିଧାନସଭାରେ ପ୍ରଶ୍ନ କଲେ ସେପଟୁ ଉତ୍ତର ଆସୁଛି ତଥ୍ୟ ସଂଗ୍ରହ ଚାଲିଛି । ପୁଣି ଗତ ୨୨ବର୍ଷ ହେଲା ଗୃହ ବିଭାଗର ଦାୟିତ୍ୱ ନବୀନ ବାବୁଙ୍କ ହାତରେ । ହେଲେ ଓଡ଼ିଶାରେ ଦୁଷ୍କର୍ମ ବଢି ବଢି ଚାଲିଛି।

୨୨ବର୍ଷରେ ବିଜେଡି ସରକାର ଯାହା କରିଲେ ଏଇ ୧୮ ମାସରେ କଳ ବଳ କୌଶଳ ପଇସା ଲଗେଇ ନିର୍ବାଚନ ଲଢେଇ କରିବାକୁ ଆସିଛନ୍ତି। ସରକାରୀ ଦଳକୁ ଏହର ଜବାବ ଦେବେ ପଦ୍ମପୁରବାସୀ । ମୋଦି ଦେଉଥିଲେ ଧାନ କିଣାର ପଇସା । ନବୀନ ବାବୁଙ୍କ ସରକାର ଟଙ୍କା ହଡ଼ପ କରୁଛନ୍ତି । ନବୀନ ବାବୁ କେବେ ପ୍ରଧାନମନ୍ତ୍ରୀଙ୍କୁ ଧାନ କିଣା ପ୍ରସଙ୍ଗରେ ଆଲୋଚନା କରିଛନ୍ତି କି? ମିଲର ସହ ନବୀନ ବାବୁଙ୍କ ମଧୁଚନ୍ଦ୍ରିକାର ଜାବାଵ ଦେବେ ପ୍ରଦୀପ ପୁରୋହିତ । ବିଧାନସଭାରେ ଏ ପ୍ରସଙ୍ଗରେ ଆଲୋଚନା କରିଛନ୍ତି କି?
ଟାର୍ଗେଟ କରି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ମଧ୍ୟ ଧର୍ମେନ୍ଦ୍ର କହିଛନ୍ତି କି, ସ୍ୱାସ୍ଥ୍ୟ ବିଭାଗ ପଛେ ଉବୁଟୁବୁ ହେଉ କିନ୍ତୁ ମନ୍ତ୍ରୀ ତାଙ୍କ କାନ୍ଧରେ ଟଙ୍କା ମୁଣି ପକାଇ ପଦ୍ମପୁରରେ ଡେରା ପକାଇଛନ୍ତି । ଯେଉଁ ମନ୍ତ୍ରୀ ଜାନକୀ ବାବୁଙ୍କ ସମୟରେ ଏକ ନମ୍ବର ମନ୍ତ୍ରୀ ଥିଲେ ପରେ ତାଙ୍କ ସରକାରକୁ ଡୁବାଇଥିଲେ ଏବେ ନବୀନ ବାବୁଙ୍କ ଗୁଡ୍ ବୁକରେ ରହିବାକୁ ଚାହୁଁଛନ୍ତି । ତେଣୁ ଆଗକୁ ନବୀନ ବାବୁଙ୍କ ସରକାର ଡୁବିବାର ସମୟ ଆସିଗଲା ବୋଲି କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।