କୋଟିଆ,୧/୪ : କୋଟିଆର ସବୁ ଗାଁ ଓଡ଼ିଶାର । ସୂର୍ଯ୍ୟ, ଚନ୍ଦ୍ର, ପାଣି ଓ ପବନ ଭଳି ଏହା ଧ୍ରୁବ ସତ୍ୟ ବୋଲି ଶନିବାର କୋରାପୁଟ ଜିଲ୍ଲାର କୋଟିଆ ଗସ୍ତ କରି ସେଠାକାର ଜନସାଧାରଣଙ୍କୁ ଭେଟିବା ସହ ‘ଉତ୍କଳ ଦିବସ’ ପାଳନ କରିବା ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶନିବାର କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ କୋଟିଆର ଫାଟୁସିନେରି ଗାଁ ସମେତ ଅଞ୍ଚଳରେ ଥିବା ସ୍କୁଲ, ସ୍ୱାସ୍ଥ୍ୟ କେନ୍ଦ୍ର, ପୋଷ୍ଟ ଅଫିସ, ବ୍ୟାଙ୍କ୍, ଆଦିମ ଗୁରୁକୁଳ ଆଶ୍ରମ, ମନ୍ଦିର ସମେତ ବିଭିନ୍ନ ସ୍ଥାନ ବୁଲିଥିଲେ। ଢେମସା ନୃତ୍ୟ କରୁଥିବା ଭଉଣୀ ମାନଙ୍କ ସହ କଥା ହୋଇଥିଲେ। କେନ୍ଦ୍ରମନ୍ତ୍ରୀ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ବରପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ କୋଟିଆ ଓ ଫାଟୁସିନେରି ଗ୍ରାମବାସୀଙ୍କ ସହ ‘ଉତ୍କଳ ଦିବସ’ ଦିବସ ପାଳନ କରିଥିଲେ ଏବଂ ପରେ ସେମାନଙ୍କ ସହ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ ।
କୋଟିଆ ଗ୍ରାମ ସମିତି ଦ୍ୱାରା ଆୟୋଜିତ ‘ଉତ୍କଳ ଦିବସ’ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏପ୍ରିଲ ୧, ୨୦୨୩ ମୋ ପାଇଁ ଅବିସ୍ମରଣୀୟ ଦିନ। ଆଜିର ଦିନ ବାଦ ବିବାଦର ଦିନ ନୁହେଁ ବରଂ ସାଢେ ୪ କୋଟି ଓଡ଼ିଆଙ୍କ ଏକାଠି ହେବାର ଦିନ । ଓଡ଼ିଶାକୁ ବଡ଼ କରିବା ଏବଂ ଓଡ଼ିଶା ପାଇଁ ବଡ ସ୍ୱପ୍ନ ଦେଖିବାର ଦିନ । ଗଣତନ୍ତ୍ରରେ ମତ ଓ ବାଦ ବିବାଦ ଭିନ୍ନ ରହିବ । ମାତ୍ର ଆଜିର ଉତ୍କଳ ଦିବସ ପରି ଦିନରେ ଆମେ ସମସ୍ତେ ଦଳୀୟ ପ୍ରସଙ୍ଗ ଭିତ୍ତିରେ ନୁହେଁ ବରଂ ରଥଯାତ୍ରାରେ ମହାପ୍ରଭୁଙ୍କ ରଥ ଟାଣିବା ଭଳି ସମସ୍ତେ ଏକାଠି ହେବାର ଦିନ। ଆନ୍ଧ୍ର ଯଦି ଆମର ମାଟି ମାଆ ଓଡ଼ିଶାର ସୀମାବର୍ତ୍ତୀ ଅଞ୍ଚଳରେ ଲୋଲୁପ ଦୃଷ୍ଟି ପକାଇବାକୁ ଚାହିଁବ ତେବେ ଆମେ ଆମେ ଏହାର ବିରୋଧ କରିବା। ସ୍ୱତନ୍ତ୍ର ପ୍ରଦେଶ ଗଠନର ବରପୁତ୍ର ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବ୍ୟାସକବି ଫକୀର ମୋହନ ସେନାପତି, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଭଳି ଅନେକ ମହାପୁରୁଷଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ଦେବା ନାହିଁ ।
ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀଙ୍କ ସହ ବ୍ରହ୍ମଗିରି ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ବଡସାହି ବିଧାୟକ ସନାତନ ବିଜୁଳି ଏବଂ ଧାମନଗରର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ସାମିଲ ହୋଇଥିଲେ ।
