ଗୋଆ,୧୧ /୧ : କର୍ଣ୍ଣାଟକର ଅଙ୍କୋଲାରେ କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଏକଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣା ସ୍ଥଳରେ ଶ୍ରୀପଦ ନାଏକଙ୍କ ପତ୍ନୀ ଓ ତାଙ୍କର ଜଣେ ସହଯୋଗୀଙ୍କର ମୃତ୍ୟୁ ଘଟିଛି। ତେବେ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଶ୍ରୀପଦ ନାଏକଙ୍କୁ ଗୋଆ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ନାଏକ ଆଜି ତାଙ୍କ ପତ୍ନୀ ବିଜୟା ଓ ବ୍ୟକ୍ତିଗତ ସହାୟକଙ୍କ ସହ କର୍ଣ୍ଣାଟକର ଆଙ୍କୋଲାଠରେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ଆହତମାନଙ୍କୁ ତୁରନ୍ତ ଆଙ୍କୋଲାର ଏକ ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ହସପିଟାଲରେ ମନ୍ତ୍ରୀଙ୍କ ପତ୍ନୀ ଓ ବ୍ୟକ୍ତିଗତ ସହାୟକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟପକ୍ଷେ ମନ୍ତ୍ରୀ ଶ୍ରୀ ନାଏକଙ୍କୁ ଗୋଆ ମେଡିକାଲ କଲେଜକୁ ପଠାଇଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମନ୍ତ୍ରୀ ଶ୍ରୀନାଏକଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ଗୋଆ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ।