ସେପ୍ଟେମ୍ବର ୧ରୁ ଅନଲକ୍‍-୪, ମିଳିପାରେ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି !

ନୂଆଦିଲ୍ଲୀ, ୨୫/୮ : ସେପ୍ଟେମ୍ବର ୧ତାରିଖରୁ ଦେଶରେ ଚତୁର୍ଥ ପର୍ଯ୍ୟାୟ ଅନଲକ ଆରମ୍ଭ ହେବ। ଏହି ଅନଲକ-୪ ପାଇଁ କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଜାରି କରିବେ। ଏହି ଚତୁର୍ଥ ପର୍ଯ୍ୟାୟ ଅନଲକରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସ୍କୁଲ, କଲେଜ ଖୋଲିବା ଲାଗି ଅନୁମତି ଦେବା ସମ୍ଭାବନା ରହିଛି। ଯଦି ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ମିଳେ ତେବେ ଏଗୁଡିକ ପର୍ଯ୍ୟାୟ କ୍ରମେ ଖୋଲାଯିବ। ଏହା ସହିତ ଆବଶ୍ୟକ ସୁରକ୍ଷା ଓ ପ୍ରତିଷେଧକ ବ୍ୟବସ୍ଥା ଆପଣାଯିବ। କରୋନା ପାଇଁ ଦୀର୍ଘ ୫ମାସ ହେଲା ଦେଶବ୍ୟାପୀ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରହିଛି। ସେହିପରି ମେଟ୍ରୋ ଟ୍ରେନ ସେବା ଆରମ୍ଭ ନେଇ ମଧ୍ୟ ସରକାର ଯୋଜନା କରୁଛନ୍ତି। ଅନଲକ-୩ରେ ସରକାର ଯୋଗ ଅନୁଷ୍ଠାନ ଓ ଜିମ୍ନାସିୟମ୍‍ଗୁଡିକୁ ଖୋଲିବାକୁ ଅନୁମତି ଦେଇଥିଲେ। ଅଗଷ୍ଟ ମାସ ଶେଷ ହେବାକୁ ଯାଉଥିବାବେଳେ କେନ୍ଦ୍ର ଖୁବ୍‍ଶୀଘ୍ର ଅନଲକ-୪ ଘୋଷଣା କରିପାରନ୍ତି।