ଅନଲକ୍ ୫.୦ ଗାଇଡ୍ଲାଇନ୍: ଅକ୍ଟୋବର ୧୫ରୁ ଖୋଲିବ ସିନେମା ହଲ୍, ଥିଏଟର୍ ଏବଂ ମଲ୍ଟିପ୍ଲେକ୍ସ୍
ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ପ୍ରକୋପ ଜାରି ରହିଥିବା ବେଳେ ଅକ୍ଟୋବର ମାସ ଲାଗି କେନ୍ଦ୍ର ସରକାର ଗାଇଡ୍ଲାଇନ୍ ଜାରି କରିଛନ୍ତି। ଏଥିରେ ଅନେକ କ୍ଷେତ୍ରରେ ପୂର୍ବରୁ ଜାରି ହୋଇଥିବା କଟକଣାକୁ କୋହଳ କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ବିଭିନ୍ନ କ୍ଷେତ୍ରରେ ଆସନ୍ତା ଏକ ମାସ ଲାଗି ବଳବତ୍ତର ରହିବାକୁ ଥିବା କଟକଣା ଏବଂ କୋହଳ ନେଇ ସୂଚନା ପ୍ରଦାନ କରିଛନ୍ତି। ଦେଶରେ ବାଣିଜ୍ୟ ଓ ଅର୍ଥନୈତିକ କାର୍ଯ୍ୟଧାରାକୁ ପୁଣି ସ୍ବାଭାବିକ କରିବା ଦିଗରେ ପର୍ଯ୍ୟାୟକ୍ରମେ କଟକଣାରେ କୋହଳ ଅଣାଯାଉଛି।
ଆଜି ଏହି କ୍ରମରେ କେନ୍ଦ୍ର ସରକାର ଜାରି କରିଥିବା ଅନ୍ଲକ୍ ୫.୦ ଗାଇଡଲାଇନରେ ସିନେମାଘର ଓ ମଲ୍ଟିପ୍ଲେକ୍ସ ୫୦ ପ୍ରତିଶତ ସିଟ୍ ସହିତ ଖୋଲିବ ବୋଲି ଅନୁମତି ଦେଇଛନ୍ତି। ଅକ୍ଟୋବର ୧୫ରୁ ସିନେମା ଘର, ମଲ୍ଟିପ୍ଲେସ୍, ଥିଏଟର, ମନୋରଞ୍ଜନ ପାର୍କ ଖୋଲାଯିବ। ଅକ୍ଟୋବର ୧୫ ପରେ ଅନଲକ-୫ରେ ସ୍କୁଲ ଓ କୋଚିଂ ସେଣ୍ଟର ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କୁ ଦିଆଯାଇଛି। ଏଥିପାଇଁ ଅଭିଭାବକଙ୍କ ସହମତି ଜରୁରୀ। ସ୍ଵିମିଂ ପୁଲ୍ କେବଳ ଖେଳାଳିଙ୍କ ପ୍ରଶିକ୍ଷଣ ପାଇଁ ଖୋଲାଯିବ। ଉଲ୍ଲେଖନୀୟ ଅନଲକ୍-୪ ଆଜି ଶେଷ ହେଉଛି।
ସିନେମା ହଲ୍, ଥିଏଟର, ମଲ୍ଟିପ୍ଲେକ୍ସ ନେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଖୁବ୍ ଶୀଘ୍ର ଗାଇଡ୍ଲାଇନ୍ ଜାରି କରିବେ। ସାମାଜିକ, ଶିକ୍ଷାନୁଷ୍ଠାନ, କ୍ରୀଡା, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ, ରାଜନୈତିକ ଓ ଅନ୍ୟ କାର୍ଯ୍ୟକ୍ରମରେ କେବଳ ୧୦୦ ଲୋକଙ୍କୁ ସାମିଲ କରିବାକୁ ଅନୁମତି ଦିଆଯାଇଛି। ଏହି ସବୁ କାର୍ଯ୍ୟକ୍ରମର କଣ୍ଟେନମେଣ୍ଟ ଜୋନ୍ର ଲୋକ ସାମିଲ ହୋଇ ପାରିବେ ନାହିଁ। ଭାରତ ସରକାର କଣ୍ଟେନମେଣ୍ଟ ଜୋନ୍ରେ ଜାରି ଲକ୍ଡାଉନ୍ ଅବଧିକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।