ଭୁବନେଶ୍ବର: ରାଜ୍ୟର ସବୁ ସହରାଞ୍ଚଳର ପ୍ରତ୍ୟେକ ଘର, ଦୋକାନ ଓ ଅନ୍ୟାନ୍ୟ ବ୍ୟବସାୟ ପ୍ରତିଷ୍ଠାନର ସ୍ଥିତି ସରକାର ତ୍ବରିତ ଜାଣିବା ପାଇଁ ଡିଜିଟାଲ ପଦ୍ଧତି ଆପଣାଇବେ। ଟିପ ମାରିବା ମାତ୍ରେ ଯେଭଳି ଉକ୍ତ ଘରର ଅବସ୍ଥିତି ଜାଣି ହେବ ସେନେଇ ନୂଆଦିଲ୍ଲୀସ୍ଥିତ ଏକ ସଂସ୍ଥା କାର୍ଯ୍ୟ କରିବ। ଉକ୍ତ ସଂସ୍ଥାର ସର୍ବେକ୍ଷଣ କାର୍ଯ୍ୟ ଅଗଷ୍ଟରୁ ଆରମ୍ଭ ହେବ ଏବଂ ଡିସେମ୍ବରରେ ଶେଷ ହେବାକୁ ନଗର ଉନ୍ନୟନ ବିଭାଗ ଲକ୍ଷ୍ୟ ରଖିଛି। ଶୁକ୍ରବାର ପୌରପ୍ରଶାସନ ନିର୍ଦେଶକ ସଂଗ୍ରାମଜିତ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଭାସି ବୈଠକରେ ପ୍ରତ୍ୟେକ ଘର ଓ ଦୋକାନକୁ ବାର-କୋଡିଂ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ବାରା ସହରାଞ୍ଚଳ ସେବା ଜନସାଧାରଣଙ୍କୁ କେତେ ମିଳି ପାରୁଛି ତାହା ସରକାର ତ୍ବରିତ ଜାଣି ପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।