ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକରଙ୍କୁ ମହାରାଷ୍ଟ୍ର ବିଧାନ ପରିଷଦରେ ନାମାଙ୍କନ ପାଇଁ ଚୟନ କରିଛି ଶିବସେନା । ଏହି ସୂଚନା ଦେଇଛନ୍ତି ଶିବସେନାର ମୁଖପାତ୍ର ସଞ୍ଜୟ ରାଉତ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଉର୍ମିଲା ମାତୋଣ୍ଡକରଙ୍କ ସହ କଥା ହୋଇଛନ୍ତି। ମାତୋଣ୍ଡକର ସେନା ଦ୍ଵାରା ମନୋନୟନରେ ସହମତି ପ୍ରକାଶ କରିଛନ୍ତି।
ମହା ବିକାଶ ଅଘାଡି ସରକାର ରାଜ୍ୟ ବିଧାନସଭାର ଉଚ୍ଚ ସଦନରେ ନାମାଙ୍କନ ପାଇଁ ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କ ୧୨ ନାମ ସୁପାରିସ୍ କରିବାକୁ ଯାଉଛି। ଏଥିସହ ଉର୍ମିଲା ମାତୋଣ୍ଡକରଙ୍କୁ ମୁଖପାତ୍ର ଭାବେ ଶିବସେନା ନିଯୁକ୍ତ କରିବାର ମଧ୍ୟ ସମ୍ଭାବନା ରହିଛି।
ନାମାଙ୍କନ ପାଇଁ କଂଗ୍ରେସ ଅଭିନେତ୍ରୀଙ୍କ ନାମ ଉପରେ ପୂର୍ବରୁ ବିଚାର କରିଥିଲା। ହେଲେ ଶିବସେନା ତାଙ୍କ ନାମ ବିଧାନସଭା ପରିଷଦ ପାଇଁ ଚୟନ କରିଛି। ମାତୋଣ୍ଡକର ୨୦୧୯ ଲୋକସଭାରେ ନର୍ଥ ମୁମ୍ବାଇରୁ କଂଗ୍ରେସ ଟିକେଟ୍ରେ ନିର୍ବାଚନ ଲଢିଥିଲେ। ସେ ବିଜେପି ପ୍ରାର୍ଥୀ ଗୋପାଲ ସେଟ୍ଟୀଙ୍କ ନିକଟରୁ ପରାସ୍ତ ହୋଇଥିଲେ।
ଗୁରୁବାର ମହାରାଷ୍ଟ୍ର କ୍ୟାବିନେଟ୍ର ଏକ ପ୍ରସ୍ତାବକକୁ ମଞ୍ଜୁରୀ ଦେଇଥିଲା, ଯେଉଁଥିରେ ୧୨ ଜଣଙ୍କ ନାମ ପରିଷଦ ପାଇଁ ରାଜ୍ୟପାଳକୁ ସୁପାରିସ୍ କରିବାକୁ ନିର୍ଣ୍ଣୟ ନିଆଯାଇଥିଲା। ସୂତ୍ର ଅନୁଯାୟୀ ଶିବସେନା, ଏନସିପି ଓ କଂଗ୍ରେସ ଚାରି ଚାରି ଜଣ ନାମ ସୁପାରିସ କରିଛନ୍ତି।