ଟ୍ରମ୍ପଙ୍କୁ ବଡ଼ ଝଟକା, ଆମେରିକା ସୁପ୍ରିମକୋର୍ଟ ରଦ୍ଦ କଲେ ବିଶ୍ୱବ୍ୟାପୀ ଶୁଳ୍କ ନିଷ୍ପତ୍ତି

ନୂଆଦିଲ୍ଲୀ, ୨୧/୦୨ : ଟ୍ରମ୍ପଙ୍କୁ ବଡ଼ ଝଟ କା । ଆମେରିକା ସୁପ୍ରିମକୋର୍ଟ ରଦ୍ଦ କଲେ ବିଶ୍ୱବ୍ୟାପୀ ଶୁଳ୍କ ନିଷ୍ପତ୍ତି। ​ଆମେରିକା ସୁପ୍ରିମକୋର୍ଟ ଏକ ଐତିହାସିକ ୬-୩ ନିଷ୍ପତ୍ତିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଲାଗୁ ହୋଇଥିବା ବ୍ୟାପକ ଶୁଳ୍କକୁ ଅସାମ୍ବିଧାନିକ ଘୋଷଣା କରିଛନ୍ତି। କୋର୍ଟ କହିଛନ୍ତି, ଟ୍ରମ୍ପ ନିଜ କ୍ଷମତାର ସୀମା ଅତିକ୍ରମ କରିଛନ୍ତି। କୋର୍ଟଙ୍କ ଅନୁସାରେ, ୧୯୭୭ର ‘ଆନ୍ତର୍ଜାତୀୟ ଜରୁରୀକାଳୀନ ଅର୍ଥନୈତିକ ଶକ୍ତି ଅଧିନିୟମ’ (IEEPA) ରାଷ୍ଟ୍ରପତିଙ୍କୁ ଶୁଳ୍କ ଲଗାଇବା ପାଇଁ ଅଧିକାର ଦିଏ ନାହିଁ। ଟିକସ ବା ଶୁଳ୍କ ଲଗାଇବାର ମୁଖ୍ୟ ଅଧିକାର କେବଳ ସଂସଦ ପାଖରେ ରହିଛି। ୨୦୨୫ରୁ ସମସ୍ତ ବ୍ୟାପାରିକ ସହଯୋଗୀ ଦେଶର ସାମଗ୍ରୀ ଉପରେ ୧୦ ପ୍ରତିଶତରୁ ୧୪୫ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଯାଇଥିଲା। ଯାହା ଏବେ ବେଆଇନ ହୋଇଯାଇଛି। ଏହି ନିଷ୍ପତ୍ତି ପରେ ସରକାରଙ୍କୁ ପ୍ରାୟ ୧୭୫ ବିଲିୟନ ଡଲାରରୁ ଅଧିକ ଆଦାୟ ହୋଇଥିବା ଶୁଳ୍କ ଫେରସ୍ତ କରିବାକୁ ପଡ଼ିପାରେ। ଶୁଳ୍କ ଲଗାଇବା ସଂସଦର କ୍ଷମତା ଏବଂ ଏଥିପାଇଁ ରାଷ୍ଟ୍ରପତିଙ୍କ ପାଖରେ ସ୍ପଷ୍ଟ ଅନୁମତି ନାହିଁ। ବିଚାରପତି କାଭାନା ଏବଂ ଥୋମାସ୍ ଏହି ନିଷ୍ପତ୍ତି ସହ ଏକମତ ହୋଇନାହାନ୍ତି। ​ଏହି ନିଷ୍ପତ୍ତି ଫଳରେ ଆମେରିକାର ବାଣିଜ୍ୟ ନୀତିରେ ପୁଣି ଥରେ ସଂସଦର ପ୍ରଭାବ ବଢ଼ିବ ଏବଂ ଟ୍ରମ୍ପଙ୍କ ଆର୍ଥିକ ରଣନୀତି ପାଇଁ ଏହା ଏକ ବଡ଼ ପ୍ରତିବନ୍ଧକ ସାଜିବ।