ନୂଆଦିଲ୍ଲୀ,୨୯ /୦୩: ଯୁଦ୍ଧ ଆଗକୁ ନେଇପାରେ ଆହୁରି ଭୟଙ୍କର ରୂପ । କାରଣ ଏଠାରେ ଆମେରିକା ୩୫୦୦ରୁ ଅଧିକ ଘାତକ କମାଣ୍ଡୋଙ୍କୁ ମୁତୟନ କରିଛି । ଯାହା ପରିସ୍ଥିତିକୁ ଅଧିକ ବିଗାଡି ଦେଇଛି । ଆମେରିକା ସେଣ୍ଟ୍ରାଲ୍ କମାଣ୍ଡର କହିବାନୁସାରେ, ଅତ୍ୟାଧୁନିକ ଯୁଦ୍ଧପୋତ ୟୁଏସ ତ୍ରିପୋଲି ନିଜର ନିର୍ଧାରିତ ଅପରେସନ ଜୋନରେ ପହଁଚି ସାରିଛି । ଯେଉଁଥିରେ ପ୍ରାୟ ୨୫୦୦ରୁ ଅଧିକ ମେରାଇନ୍ କମାଣ୍ଡୋ ରହିଛନ୍ତି । ଏହି ଯୁଦ୍ଧ ଜାହାଜ ଖୁବ୍ ଆଧୁନିକ । ଏଥିରେ ଏଫ୍-୩୫ ଷ୍ଟିଲଥ୍ ଫାଇଟର୍ ଜେଟ୍ ଏବଂ ଅନ୍ୟ ଆଡାଭାନ୍ସ ଏୟାରକ୍ରାଫ୍ଟ୍ ଅପରେଟ୍ କରାଯାଇପାରିବ । ଏହାକୁ ପୂର୍ବରୁ ଜାପାନ ନିକଟରେ ମୁତୟନ କରାଯାଇଥିଲା । ତେବେ ଦୁଇ ସପ୍ତାହ ପୂର୍ବରୁ ତ୍ରିପୋଲିକୁ ମଧ୍ୟପ୍ରାଚ୍ୟ ଅଭିମୁଖେ ପଠାଯାଇଥିଲା । ଏହା ବ୍ୟତୀତ ୟୁଏସଏସ ବକ୍ସର ଏବଂ ସେନ୍ ଡିଏଗୋରେ ଅନ୍ୟ ଯବାନଙ୍କୁ ମଧ୍ୟପ୍ରାଚ୍ୟ ପଠାଯାଇଛି ।
ସେଣ୍ଚ୍ରାଲ୍ କମାଣ୍ଡ ଆହୁରି କହିଛି ଯେ, ଫେବ୍ରୁଆରୀ ୨୮ ତାରିଖରୁ ଅପରେସନ ଏପିକ୍ ଫ୍ୟୁରି ଆରମ୍ଭ ହୋଇଛି । ଅପରେସନ ପାଇଁ ୧୦ ହଜାରରୁ ଅଧିକ ଅଞ୍ଚଳକୁ ଟାର୍ଗେଟ୍ କରାଯାଇଛି । ଅର୍ଥାତ ଘମାଘୋଟ ଯୁଦ୍ଧ ବାବଦରେ ସ୍ପଷ୍ଟ ହେଉଛି । ସାଉଦିର ୟୁଏସ ବେସରେ ଆକ୍ରମଣ ପରେ ଯୁଦ୍ଧ ଅଧିକ ଭୟଙ୍କର ରୂପ ନେଇଥିଲା । ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି ଯେ, ଆମେରିକା ଇରାନ ମାଟିରେ ସୈନ୍ୟ ନଓହ୍ଲାଇ ନିଜ ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛି । କିନ୍ତୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପରିବର୍ତ୍ତନ ସ୍ଥିତି ପାଇଁ ପ୍ରସ୍ତୁତ ଅଛନ୍ତି । ଏବେ ସ୍ଥିତି ଅଧିକ ଜଟିଳ ରହିଛି । ୟେମେନର ହୁତି ସଙ୍ଗଠନ ଯୁଦ୍ଧରେ ସାମିଲ ହେଲା ପରେ ତାହା ଆମେରିକା ଏବଂ ଇସ୍ରାଏଲ ପାଇଁ ଅଧିକ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି ।