ଉତ୍ତରାଖଣ୍ଡ କଂଗ୍ରେସରେ ବଡ଼ ପରିବର୍ତ୍ତନ

ଡେରାଡୁନ୍‌ ,୨୨/୭ : ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନକୁ ନଜରରେ ରଖି ରାଜନୈତିକ ହଲଚଲ ଆରମ୍ଭ ହୋଇଯାଇଛି। ଏହି ସମୟରେ ଉତ୍ତରାଖଣ୍ଡ କଂଗ୍ରେସରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଗଣେଶ ଗୋଦିଆଲଙ୍କୁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନିଯୁକ୍ତ କରିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରୀଶ ରାଓ୍ବତଙ୍କୁ ନିର୍ବାଚନ ପ୍ରଚାର କମିଟିର ମୁଖ୍ୟ ନିଯୁକ୍ତ କରିଛି ଏଆଇସିସି।

ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରୀତମ ସିଂହଙ୍କୁ ବିଧାୟକ ଦଳ ନେତା ନିଯୁକ୍ତ କରିଛନ୍ତି ଯିଏକି ପୂର୍ବରୁ ପିସିସି ସଭାପତି ଥିଲେ। ଦଳ ୭୨ ବର୍ଷୀୟ ହରୀଶ ରାଓ୍ବତଙ୍କୁ ନିର୍ବାଚନ ପ୍ରଚାର କମିଟିର ଅଧ୍ୟକ୍ଷ ନିଯୁକ୍ତ କରିବା ସହ ତାଙ୍କର ନିକଟତର ଗୋଦିଆଲଙ୍କୁ ପିସିସି ମୁଖିଆ କରାଇଛି।

କଂଗ୍ରେସ ଗୋଦିଆଲଙ୍କୁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନିଯୁକ୍ତ କରିଥିବା ବେଳେ ଜିତ ରାମ, ଭୁବନ କାପଡ଼ି, ତିଲକ ରାଜ ବେହଡ ଏବଂ ରଞ୍ଜିତ ରାଓ୍ବତଙ୍କୁ ଉତ୍ତରାଖଣ୍ଡର କାର୍ଯ୍ୟକାରୀ ଅଧ୍ୟକ୍ଷ ଭରବେ ଦାୟିତ୍ବ ଦେଇଛି । ଆର୍ଯ୍ୟନ୍ଦ୍ର ଶର୍ମାଙ୍କୁ ଉତ୍ତରାଖଣ୍ଡ କଂଗ୍ରେସର କୋଷାଧ୍ୟକ୍ଷ ନିଯୁକ୍ତ କରାଯାଇଥିବା ବେଳେ ପ୍ରଦୀପ ଟମ୍ଟାଙ୍କୁ ନିର୍ବାଚନ ପ୍ରଚାର କମିଟିରେ ଉପାଧ୍ୟକ୍ଷ ଏବଂ ଦିନେଶ ଅଗ୍ରଓ୍ବାଲଙ୍କୁ ଏହାର ସଂଯୋଜକ ଦାୟିତ୍ବ ମିଳିଥିବା ଜଣାପଡ଼ିଛି। ଏହା ସହ ବରିଷ୍ଠ ନେତାଙ୍କୁ ନେଇ ଉତ୍ତରାଖଣ୍ଡ କଂଗ୍ରେସରେ ବିଭିନ୍ନ କମିଟି ଗଠନ କରିଛି ଦଳ ।