ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକାକରଣ

ଭୁବନେଶ୍ୱର, ୨୮ /୨ : ଦେଶର ୮ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢୁଥିବା ବେଳେ ୫ ରାଜ୍ୟରେ ଅଧିକ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସରକାର ଗାଇଡଲାଇନ୍ ଜାରି କରିଛନ୍ତି । ଗତ ୨୪ ଘଣ୍ଟାରେ ଭାରତରେ ୧୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ୧୧୩ ହୋଇଛି । ସେହିଭଳି ରାଜ୍ୟରେ ୨୪ ଘଣ୍ଟାରେ ୮୪ ଜଣଙ୍କ ସଂକ୍ରମିତ ହୋଇଛନ୍ତି ।

ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ ବରିଷ୍ଠ ନାଗରିକଙ୍କ ପାଇଁ ଟିକାକରଣ ପ୍ରକ୍ରିୟା। ଭୁବନେଶ୍ବର ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାକରଣ ବ୍ୟବସ୍ଥା କରାଯାଇଛି। ମାର୍ଚ୍ଚ ୧ରୁ ସରକାରୀ ହସ୍ପିଟାଲରେ ଟିକାକରଣ ଆରମ୍ଭ ହେବ। ପ୍ରଥମେ ବୟସ୍କ ଏବଂ ବହୁବିଧ ରୋଗାକ୍ରାନ୍ତଙ୍କୁ ଦିଆଯିବ ଟିକା । ଘରୋଇ ହସ୍ପିଟାଲରେ ଟିକାକରଣ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ ହୋଇଛି। ଘରୋଇ ହସ୍ପିଟାଲରେ ଟିକା ନେବାକୁ କୋୱିନ ୨.୦ରେ ପଞ୍ଜିକରଣ କରାଯାଇପାରିବ । ମାର୍ଚ୍ଚ ୧ରୁ ଟିକାକରଣ ପାଇଁ ରେଜିଷ୍ଟ୍ରେସନ କରାଯିବ, ୨ରୁ ଟିକା ଦିଆଯିବ। ଗୋଟିଏ ଦିନରେ ୬୦ ଜଣ ବରିଷ୍ଠ ନାଗରିକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି। ଜଟିଳ ରୋଗରେ ଆକ୍ରାନ୍ତ ଥିବା ବରିଷ୍ଠ ନାଗରିକଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପରେ ଟିକା ନେଇ ନିଷ୍ପତ୍ତି ହେବ। ସରକାରୀ ହସ୍ପିଟାଲରେ ଟିକା ସଂପୂର୍ଣ୍ଣ ମାଗଣାରେ ମିଳିବ। ଘରୋଇ ହସ୍ପିଟାଲରେ ଟିକା ପାଇଁ ସର୍ଭିସ ଚାର୍ଜ ୧୦୦ ଟଙ୍କା ପଡ଼ିବ। ଟିକା ମୂଲ୍ୟ କେତେ ପଡ଼ିବ, କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଜଣାଇବେ।

ପୁଣି ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଜାରି କରିଥିବା ଗାଇଡଲାଇନ୍ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ରହିଛି । ନିର୍ଦ୍ଦେଶ ପାଳନ କରୁନଥିବା ଅମାନିଆଙ୍କ ଉପରେ କଡା ପଦକ୍ଷେପ ନେବାକୁ ଜିଲ୍ଲାପ୍ରଶାସନକୁ କୁହାଯାଇଛି ।