ଭୁବନେଶ୍ବର,୧୪ /୪ : ରାଜ୍ୟରେ କରୋନା ଟିକାର ଅଭାବ ଲାଗି ରାଜ୍ୟ ସରକାର ୧୧ଟି ଜିଲ୍ଲାରେ ଟିକାକରଣ ବନ୍ଦ କରିଛନ୍ତି । ଟିକାଦାନ ହୋଇପାରି ନ ଥିବା ଜିଲ୍ଲା ଭିତରେ ସମ୍ବଲପୁର, ପୁରୀ, ଯାଜପୁର, ଭଦ୍ରକ, ନୟାଗଡ଼, ବୌଦ୍ଧ, ଗଜପତି, ଢେଙ୍କାନାଳ, କୋରାପୁଟ, ଝାରସୁଗୁଡ଼ା ଓ ସୋନପୁର ଜିଲ୍ଲା ରହିଛି। ପୂର୍ବରୁ ରାଜ୍ୟରେ ଯେଉଁଠି ୧୪୭୬ଟିକାଦାନ କେନ୍ଦ୍ରରେ ଟିକାକରଣ କରାଯାଉଥିଲା ଆଜି ମାତ୍ର ୪୯୫ଟି କେନ୍ଦ୍ରରେ ଲୋକଙ୍କୁ ଟିକା ଦିଆଯାଇଛି। ଟିକା ନେଇଛନ୍ତି ମାତ୍ର ୬୬,୭୮୭ଜଣ। ତହିଁରୁ ୭,୦୫୬ଜଣ କୋଭାକ୍ସିନ୍ ନେଇଥିବା ବେଳେ ୫୯,୭୩୧ଜଣଙ୍କୁ ‘କୋଭିସିଲ୍ଡ’ ଦିଆଯାଇଛି। ରାଜ୍ୟରେ କରୋନା ଟିକାର ଅଭାବ ନେଇ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସ୍ବାସ୍ଥ୍ୟବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କେନ୍ଦ୍ର ସରକାରଙ୍କ ଦୁଇ ଦୁଇ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାସତ୍ତ୍ବେ ଟିକାର ଅଭାବ ଦୂର ହୋଇପାରି ନାହିଁ।
ଦୈନିକ ୨ଲକ୍ଷ ଟିକାକରଣ ବଦଳରେ ରାଜ୍ୟରେ ଆଜି ୧ଲକ୍ଷରୁ ମଧ୍ୟ ଲୋକଙ୍କୁ ଟିକା ଦିଆଯାଇଛି। ଏଥିରେ ୪୫ବର୍ଷରୁ ଅଧିକ ୫୭,୦୧୧ଜଣଙ୍କୁ ପ୍ରଥମ ଓ ୭୭୪୨ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ୬୦ବର୍ଷରୁ ଅଧିକ କୌଣସି ବ୍ୟକ୍ତିଙ୍କୁ ଆଜି ଟିକା ଦିଆଯିବା ସଂପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ରାଜ୍ୟରେ ସମୁଦାୟ ଭାବେ ୪୫ଲକ୍ଷ ୮୫ହଜାର ୦୪୯ଜଣ ଟିକା ନେଇଛନ୍ତି। ଆଜି ଗଞ୍ଜାମ ଜିଲ୍ଲାରେ ୯ଜଣଙ୍କଠାରେ ଟିକାର ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଅପରପକ୍ଷରେ ଆଜି ରାଜ୍ୟରେ ୨ଲକ୍ଷ ‘କୋଭାକ୍ସିନ୍’ ଟିକା ପହଞ୍ଚିଛି। ‘କୋଭାକ୍ସିନ୍’ ଟିକା ଭୁବନେଶ୍ବରରେ ଦିଆଯାଉଛି। ମାତ୍ର ରାଜ୍ୟବ୍ୟାପୀ ଦିଆଯାଉଥିବା ‘କୋଭିସିଲ୍ଡ’ ଟିକାର ଅଭାବ ରହିଛି। ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, ଟିକାର ଅଭାବ ପାଇଁ ଜିଲ୍ଲାସ୍ତରରେ ଟିକାଦାନ ପାଇଁ ଆଗୁଆ ପ୍ରସ୍ତୁତି ହୋଇପାରୁନାହିଁ। ଆସନ୍ତାକାଲି ମଧ୍ୟ ୧୧ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ।