ସମ୍ବଲପୁର, ୨୩/୧ : ସମ୍ବଲପୁର ଜିଲା ଅନ୍ତର୍ଗତ ଖିଣ୍ଡା ଗ୍ରାମରେ ସୁରେନ୍ଦ୍ର ସାଏ ୧୮୦୯ମସିହାରେ ଜାନୁଆରୀ ୨୩ରେ ଜନ୍ମଗ୍ରହଣ କରିଥିଲେ। ଭାରତୀୟ ସ୍ବାଧୀନତା ସଂଗ୍ରାମର ଅନ୍ୟତମ ମହାସଂଗ୍ରାମୀ ସୁରେନ୍ଦ୍ର ସାଏ ଦୀର୍ଘ ୩୬ ବର୍ଷକାଳ କାରାଗାରରେ କାଟିଥିଲେ। ପ୍ରଥମ ପର୍ଯ୍ୟାୟରେ ଇଂରେଜମାନଙ୍କ ବିରୁଦ୍ଧରେ ତାଙ୍କର ସଂଗ୍ରାମ ୧୮୨୭-୧୮୪୦ ମସିହା ପର୍ଯ୍ୟନ୍ତ ବିକ୍ଷିପ୍ତ ଏବଂ ସୀମିତ ଥିଲା; କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ ଏହା ଅଧିକ ସୁସଙ୍ଗଠିତ ତଥା ବୀରତ୍ୱପୂର୍ଣ୍ଣ ଥିଲା। ତାଙ୍କର ଅଦ୍ଭୁତ ସଂଗଠନ ଶକ୍ତି, ଅସୀମ ପରାକ୍ରମ, ଅସାଧାରଣ ରଣକୌଶଳ ବ୍ରିଟିଶ୍ ଶାସକ ଓ ସୈନ୍ୟବାହିନୀକୁ ଆଶ୍ଚର୍ଯ୍ୟାନ୍ୱିତ କରିଥିଲା। ଇଂରେଜମାନଙ୍କୁ କଡ଼ା ଜବାବ ଦେବା ପାଇଁ ୭ ଅକ୍ଟୋବର ୧୮୫୭ରେ ୧୨ଶହ ଲୋକଙ୍କ ସହ ସମ୍ବଲପୁର ସହରରେ ପ୍ରବେଶ କରିଥିଲେ।
ବିଶ୍ୱାସଘାତକର ଶିକାର ହୋଇଥିବା ସୁରେନ୍ଦ୍ର ଦୁଇଜଣ ସ୍ଥାନୀୟ ଲୋକଙ୍କ ଯୋଗୁଁ ଦ୍ୱିତୀୟ ଥର ପାଇଁ ଗିରଫ ହୋଇଥିଲେ। ଗିରଫ ସୁରେନ୍ଦ୍ର ସାଏଙ୍କୁ ମଧ୍ୟପ୍ରଦେଶର ବୁରହାନପୁର ଜିଲାର ଅସୀରଗଡ଼ ଦୁର୍ଗରେ ବନ୍ଦୀ କରାଯାଇଥିଲା। ସେବେଠାରୁ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ବନ୍ଦୀ ଜୀବନ କାଟିଥିଲେ ସୁରେନ୍ଦ୍ର ସାଏ। ୧୮୮୪ ଫେବୃଆରୀ ୨୮ ତାରିଖରେ ଅସୀରଗଡ଼ ଦୁର୍ଗରେ ହିଁ ସୁରେନ୍ଦ୍ର ସାଏଙ୍କ ପରଲୋକ ହୋଇଥିଲା। ବୀର ସୁରେନ୍ଦ୍ର ସାଏଙ୍କ ସମ୍ମାନାର୍ଥେ ୨୦୦୯ ମସିହାରେ ୟୁନିଭର୍ସିଟି କଲେଜ୍ ଅଫ୍ ଇଞ୍ଜିନିଅରିଂ, ବୁର୍ଲାର ନାମ ବଦଳାଯାଇ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି, ବୁର୍ଲା କରାଯାଇଥିଲା। ବୁର୍ଲାଠାରେସ୍ଥିତ ଭେଷଜ ମହାବିଦ୍ୟାଳୟର ନାମ ବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟ ଦିଆଯାଇଅଛି। ଭାରତ ସରକାର ସୁରେନ୍ଦ୍ର ସାଏଙ୍କ ସମ୍ମାନାର୍ଥେ ଡାକ ଟିକଟ ଛପାଇଥିଲେ। ଝାରସୁଗୁଡ଼ାସ୍ଥିତ ବିମାନ ବନ୍ଦରର ନାମ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଦିଆଯାଇଛି।
