ଭୁବନେଶ୍ୱର 10/7: ଚାକିରିରୁ ବିଦା ହୋଇଛନ୍ତି ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା । ସମ୍ବଲପୁରର ପୂର୍ବତନ ଭିଜିଲାନ୍ସ ଇନିସ୍ପେକ୍ଟର ମାନସୀଙ୍କୁ ବହିଷ୍କାର କରିଛନ୍ତି ଡିଜିପି ସୁନୀଲ ବଂଶଲ । ମାନସୀ ଜେନା ଲାଞ୍ଚ ନେଇଥିବାରୁ ଡିଜିପି ଶ୍ରୀ ବଂଶଲ ଏହି ପଦକ୍ଷେପ ନେଇଛନ୍ତି। ତେବେ ମାନସୀ ଏବେ ଜେଲରେ ଅଛନ୍ତି।
ସୂଚନା ଅନୁସାରେ, ଜଣେ ସରକାରୀ କର୍ମଚାରୀଙ୍କ ବିରୋଧରେ ସମ୍ୱଲପୁର ଭିଜିଲାନ୍ସ ଡିଭିଜନରେ ଏକ ପିଟିସନ୍ ପଡ଼ିଥିଲା। ଏହାର ତଦନ୍ତ ଦାୟିତ୍ୱ ମାନସୀଙ୍କ ଉପରେ ନ୍ୟସ୍ତ ଥିଲା। ସେ ଉକ୍ତ ସରକାରୀ କର୍ମଚାରୀଙ୍କୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଟଙ୍କା ନଦେଲେ ତାଙ୍କ ନାଁରେ ମାମଲା କରିବାକୁ ଧମକ ଦେଇଥିଲେ। ତାଙ୍କଠାରୁ ଟଙ୍କା ଆଦାୟ କରିବା ପାଇଁ ମାନସୀ ବରଗଡ଼ର ମୁକେଶ ସାହୁ ନାମକ ଜଣେ ଯୁବକଙ୍କୁ ମଧ୍ୟସ୍ତି ରଖିଥିଲେ।
ଲାଞ୍ଚ ମଗାଯାଉଥିବା ନେଇ ଉକ୍ତ ସରକାରୀ କର୍ମଚାରୀ ଜଣକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ମେ’ ୧୨ ତାରିଖରେ ମାନସୀ ମଧ୍ୟସ୍ତି ମୁକେଶ ମାଧ୍ୟମରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସର ଇଣ୍ଟରନାଲ ୟୁନିଟ୍ ହାତରେ ଧରା ପଡ଼ିଥିଲା। ଏହା ପରେ ଭିଜିଲାନ୍ସ ଟିମ୍ ମାନସୀଙ୍କ ପୈତୃକ ଘର ଓ ଅଫିସ୍ରେ ଚଢ଼ଉ କରିଥିଲା। ଏଥିସହିତ ମୁକେଶଙ୍କ ବରଗଡ଼ ବାସଭବନରେ ମଧ୍ୟ ଭିଜିଲାନ୍ସ ଚଢ଼ଉ କରିଥିଲା। ପୂରା ଖୋଳତାଡ଼ ପରେ ମେ’ ୧୪ ତାରିଖରେ ମାନସୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।