ଭୁବନେଶ୍ୱର,୨୩ /୧୦- (ପ୍ରଦୀପ୍ତ କୁମାର ଦାସ) : ଖାଦ୍ୟ ଓ ଯୋଗାଣ ବିଭାଗ ଅଧିନସ୍ଥ ବାଲେଶ୍ୱର ଜିଲ୍ଲା ଧାନ ସଂଗ୍ରହ ଦାଇତ୍ୱରେ ଥିବା ମୁଖ୍ୟ ସିଭିଲ ସପ୍ଲାଇ ଅଫିସର ତଥା ଜିଲ୍ଲା ମ୍ୟାନେଜର ଛନ୍ଦିହୋଇଛନ୍ତି ଭିଜିଲାନ୍ସ ଜାଲରେ । ସେ ହେଲେ ମିର ଅଲ୍ଲୀ ରାଜା. ତାଙ୍କ ଅଫିସ ଚାମ୍ବର ଡ୍ରୟାରରୁ ଜବତ ହୋଇଛି ୨ ଲକ୍ଷ ପଇଁତିରିଶ ହଜାର ଟଙ୍କା। ଏହି ମୋଟା ଅଙ୍କର ଟଙ୍କା କେଉଁଠୁ ଆଣିଲେ ଓ କଣପାଇଁ ନିଜ ଅଫିସ ଚାମ୍ବରରେ ରଖିଥିଲେ ପ୍ରଶ୍ନର କୌଣସି ସନ୍ତୋଷଜନକ ଉତ୍ତର ସେ ଭିଜିଲାନ୍ସକୁ ଦେଇପାରିନଥିଲେ । ତେଣୁ ପୂର୍ବରୁ ତାଙ୍କୁ ସ୍କାନରରେ ରଖିଥିବା ଭିଜିଲାନ୍ସ ଉକ୍ତ ଟଙ୍କା ଜବତ କରିବା ସହ ତାଙ୍କୁ ଅଫିସରୁ ଗିରଫ କରିଛି । ଏ ସଂକ୍ରାନ୍ତରେ ବାଲେଶ୍ୱର ଭିଜିଲାନ୍ସ ଡିଭିଜନରେ ରାଜାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରାଯିବା ସହ ଅଧିକ ତଦନ୍ତ ଜାରି ରହିଛି । ତେବେ ଗିରଫ କରାଯିବାପରେ ଆଜି ତାଙ୍କୁ ବାଲେଶ୍ୱର ଭିଜିଲାନ୍ସ ଜଜଙ୍କ ଅଦାଲତରେ ହାଜର କରାଯାଇଥିଲା । ମାତ୍ର ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ଶେଷରେ ଯିବାକୁ ପଡିଛି।