ଭିଜିଲାନ୍ସ ପଞ୍ଝାରେ ବଙ୍ଗାଳ ପୁର ପଂଚାୟତ ପିଇଓ

ଗରଦପୁର,୧୮ /୮- (କେଶବ ଚନ୍ଦ୍ର ନାଥ) : କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ବଙ୍ଗାଳପୁର ପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ (ପିଇଓ ) ପଂଚାୟତସ୍ଥ ହୁରାସାହି ଦୁର୍ଗା ପୋଖରୀ ଗାଧୁଆତୁଠ ଓ ଲୁଗାପାଲଟା ଗୃହ କାର୍ଯ୍ୟର ବିଲ କରିବାକୁ ୮ହଜାର ଟଙ୍କା ଦାବି କରି ଥିଲେ । ଯାହାନେଇ ଠିକାଦାର ସୂଭେନ୍ଦ୍ର ରାଉତ ୭ ହଜାର ଟଙ୍କା ଦେବାକୁ କହି କଥା ଛିଣ୍ଡାଇ ଥିଲେ ।

ଏନେଇ ଠିକାଦାର ଶ୍ରୀଯୁକ୍ତ ରାଉତ ପୂର୍ବ ଚୁକ୍ତି ମୁତାବକ ପିଇଓ ଙ୍କୁ ବନ୍ଧ ସାହି ଗାଁ ମୁଣ୍ଡ ନିକଟରେ ଲାଞ୍ଚ ଟଙ୍କା ଦେଇଥିଲେ । କିନ୍ତୁ ଅଳ୍ପ ନିକଟରେ ଅପେକ୍ଷାରତ ଭିଜିଲାନ୍ସ ଡିଏସପି ସୁରେନ୍ଦ୍ର ନାଥ ରାଓ ଗୁରୁ ପିଇଓଙ୍କ ପାଖରୁ ଲାଞ୍ଚ ନେଇଥିବା ରଙ୍ଗ ଟଙ୍କା ଜବତ କରିଥିଲେ । ଏତଦ ବ୍ୟତୀତ ଲାଞ୍ଚ ନେଇଥିବା ପିଇଓଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେବା ସହିତ ପଂଚାୟତ ଆଲମୀରାରୁ ସମ୍ପୃକ୍ତ ଫାଇଲ ଜବତ କରିଥିବାର ଜଣାପଡିଛି । ପଚାଶ ହଜାର ଟଙ୍କା ଅନୁମୋଦିତ ସମ୍ପାଦିତ ସରକାରୀ ପ୍ରକଳ୍ପ କାର୍ଯ୍ୟ ପାଇଁ ସରକାରୀ ବାବୁଙ୍କ ୮ ହଜାର ଟଙ୍କା ଲାଞ୍ଚ ମାଗିବା ମହଙ୍ଗା ପଡିବା ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।