ବାଲିପାଟଣାରେ ଚୋରା ସମିଲ ଠାବ : ୨୬ ଲକ୍ଷ ଟଙ୍କାରୁ ଊର୍ଧ୍ୱ ମୂଲ୍ୟର କାଠ ଜବତ

ଭୁବନେଶ୍ୱର,୧୧/୧୧: (ପ୍ରଦୀପ୍ତ କୁମାର ଦାସ) – ମଙ୍ଗଳବାର ବାଲିପାଟଣା ଅଂଚଳରେ ବେଆଇନ ଭାବେ ଚାଲିଥିବା ଦୁଇଟି ଚୋରା ସମିଲ ଉପରେ ଚଢ଼ାଉ କରିଛି ଭୁବନେଶ୍ୱର ଭିଜିଲାନ୍ସ ଫରେଷ୍ଟ ୟୁନିଟ । ଏସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଈ ସେଠାରେ ମିଳିତ ଭାବେ ଚଢ଼ାଉ କରିଥିଲା ଭୁବନେଶ୍ୱର ଭିଜିଲାନ୍ସ ଓ ଖୋର୍ଦ୍ଧା ଫରେଷ୍ଟ ଡିଭିଜନ ପକ୍ଷରୁ ଏହି ସ୍ୱତନ୍ତ୍ର ଟିମ ସ୍ଥାନୀୟ ପୋଲିସ ସହାୟତାରେ । ତେବେ ଦୁଇଟି ଯାକ ସମିଲରୁ ବିପୁଳ ପରିମାଣରେ ଚୋରାକାଠ,ଦୁଇଟି ଟ୍ରାକ୍ଟର ଓ ସମିଲ ଉପକରଣକୁ ଜବତ କରିଛି ଏହି ଟିମ । ଏହାର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କାରୁ ଉର୍ଧ୍ଵ ହେବ ବୋଲି ସମ୍ପୃକ୍ତ ଭିଜିଲାନ୍ସ ଫରେଷ୍ଟ ୟୁନିଟ ଆକଳନ କରିଛି । ତେବେ ଏନେଇ ଜଙ୍ଗଲ ସୁରକ୍ଷା ଆଇନ ଓ ସମିଲ ନିବାରଣ ଆଇନ ଅନୁଯାୟୀ ବିଭିର୍ନ ଦଫାରେ ୬ ଟି ମାମଲା ଖୋର୍ଦ୍ଧା ଫରେଷ୍ଟ ଡିଭିଜନର ବାଲିପାଟଣା ଫରେଷ୍ଟ ରେଞ୍ଜ ପକ୍ଷରୁ ରୁଜୁ କରାଯିବା ସହ ଅଧିକ ତଦନ୍ତ ଜାରିରହିଥିବା ଖବର ମିଳିଛି ।