ଭୁବନେଶ୍ୱର,୪ /୭ : (ପ୍ରଦୀପ୍ତ କୁମାର ଦାସ) – କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟର ଖୋଦ ସ୍ପେସିଆଲ ପିପି ଶନିବାର ଛନ୍ଦି ହୋଇଛନ୍ତି ଭିଜିଲାନ୍ସ ଜାଲରେ । ପୂର୍ବରୁ ଏକ ଦୁର୍ନୀତି ମାମଲାରେ ନିଲମ୍ବିତ ହୋଇଥିବା ଜଣେ ଅଭିଯୁକ୍ତ ପୋଲିସ ଏଏସଆଇଙ୍କ ଠାରୁ ସ୍ପେସିଆଲ ପିପି ଆଶୁତୋଷ ମିଶ୍ର ଶନିବାର ଲକ୍ଷେ ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଟିମ ତାଙ୍କୁ ଧରି ଥିଲା । ତେବେ ଉକ୍ତ ଟଙ୍କା ତାଙ୍କ ପକେଟରୁ ଜବତ କରାଯିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ସମ୍ପୃକ୍ତ ନିଲମ୍ବିତ ଏଏସଆଇ ମଳୟ କୁମାର ରଣାଙ୍କୁ ସେ ପଡ଼ିଥିବା ଭିଜିଲାନ୍ସ ମାମଲାରୁ ମୁକୁଳାଇବା ପାଇଁ ସାହାଯ୍ୟ କରିବା ନିମନ୍ତେ ଉକ୍ତ ଟଙ୍କା ଲାଞ୍ଚ ନେଉଥିଲେ ବୋଲି ଅଭିଯୋଗ ହୋଇଛି । ହେଲେ ଭାଗ୍ୟ ତାଙ୍କୁ ସାଥ ଦେଲାନାହିଁ । ସରକାରଙ୍କ ପକ୍ଷରୁ ସେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ମାମଲା ପରିଚାଳନା ଦାୟିତ୍ୱରେ ଥାଇ ଅର୍ଥ ଲୋଭରେ ଖୋଦ ନିଜେ ଏପରି ଦୁର୍ନୀତି କରି ବସିଲେ ।
ଆଉ ସବୁଠାରୁ ବିଡମ୍ବନାର କଥା ହେଲା ଯେ ତାଙ୍କୁ ଗିରଫ କରାଯିବା ପରେ ସେହି କୋର୍ଟକୁ ମଧ୍ୟ ଚାଲାଣ କରାଗଲା । ତେବେ ଭିଜିଲାନ୍ସଟିମ ତାଙ୍କ ବାସଭବନରେ ଚଢ଼ାଉ କରି ସର୍ଚ୍ଚ କରିଥିବାବେଳେ ଘରୁ ପ୍ରାୟ ପନ୍ଦର ଲକ୍ଷରୁ ଊର୍ଧ୍ୱ ନଗଦ ଟଙ୍କା ମଧ୍ୟ ଜବତ କରିଛି । ଏଥିସହ ତାଙ୍କର ସମ୍ପତ୍ତି ବାବଦରେ ଭିଜିଲାନ୍ସ ଖୋଳତାଡ଼ ଚଳାଇବାସହ ଅଧିକ ତଦନ୍ତ ଜାରିରଖିଥିବା ବେଳେ ଏହି ଘଟଣା ବିଭିନ୍ନ ମହଲରେ ବେଶ ଚର୍ଚ୍ଚାର ବିଷୟ ହୋଇଛି । ଏସଂକ୍ରାନ୍ତରେ କଟକ ଭିଜିଲାନ୍ସ ସେଲ ପକ୍ଷରୁ ଗିରଫ ସ୍ପେସିଆଲ ପିପିଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇ ଅଧିକ ଅନୁସନ୍ଧାନ ଜାରି ରହିଛି ।