ଭୁବନେଶ୍ୱର, ୦୭/୧୦ : ବୁର୍ଲା ଭିମସାରରେ ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ମାରପିଟ୍ ହୋଇଛି। ଏଥିରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ତୁରନ୍ତ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାକୁ ନେଇ ହାଉସ୍ ସର୍ଜନ ମାନେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଆକ୍ରମଣ ପ୍ରତିବାଦରେ ହାଉସ୍ ସର୍ଜନ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ନିଷ୍ପତ୍ତି ନେଇଛନ୍ତି। ଭିମସାର ନିର୍ଦେଶକ, ବୁର୍ଲା ଥାନା ଆଇଆଇସି, ଏସଡିପିଓ ପ୍ରମୂଖ ଛାତ୍ର ମାନଙ୍କ ସହ ବିଳମ୍ବିତ ରାତି ଯାଏଁ ଆଲୋଚନା କରିଥିଲେ। କିନ୍ତୁ କିଛି ସମାଧାନର ବାଟ ବାହାରିପାରିନି। ଭିମସାର ପରିସରରେ ୟୁଜି ଛାତ୍ର ମାନଙ୍କର ବାର୍ଷିକ ଉତ୍ସବ ଚାଲିଥିବାବେଳେ ରବିବାର ବିଳମ୍ବିତ ରାତିରେ ପିଜି ଛାତ୍ର, ହାଉସ୍ ସର୍ଜନଙ୍କ ମଧ୍ୟରେ ଗଣ୍ଡଗୋଳ ଏବଂ ମାରପିଟ୍ ହୋଇଥିଲା। ପୂର୍ବ ଶତ୍ରୁତାକୁ ନେଇ ପିଜି ଛାତ୍ରମାନେ ଆକ୍ରମଣ କରିଥିବା ନେଇ ଆକ୍ରମଣର ଶିକାର ହୋଇଥିବା ପୂର୍ବତନ ୟୁଜି ଛାତ୍ର ସଂଘ ସଭାପତି କହିଛନ୍ତି।