ନୂଆଦିଲ୍ଲୀ,୩/୧୧ : ଗତକାଲି ଟି-୨୦ ବିଶ୍ୱକପରେ ଅଷ୍ଟ୍ରେଲିଆର ଆଡିଲେଡ୍ କ୍ରିକେଟ୍ ଗ୍ରାଉଣ୍ଡରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ବାଂଲାଦେଶ। ଭାରତ ବିରୋଧରେ ବାଂଲାଦେଶ ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲେ ବି ଦଳ ପରାସ୍ତ ହୋଇଥିଲା।
ହେଲେ ଭାରତ ବିରୋଧରେ ବାଂଲା ବ୍ୟାଟର ଲିଟନ ଦାସ ଯେଉଁଭଳି ଭାବରେ ବ୍ୟାଟିଂ କରିଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଆଉ ଲିଟନଙ୍କର ଏଭଳି ପ୍ରଦର୍ଶନ ପାଇଁ ଖୁସୀ ବ୍ୟକ୍ତ କରି ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ବୁଧବାର ଲିଟନଙ୍କୁ ଏକ ବ୍ୟାଟ ଉପହାର ଦେଇଛନ୍ତି। ଏନେଇ ବାଂଲାଦେଶ କ୍ରିକେଟ୍ ବୋର୍ଡ ଚେୟାର ମେନ୍ ଜଲାଲ ୟୁନୁସ ସୂଚନା ଦେଇଛନ୍ତି।
ସେ କହିଛନ୍ତି “ ଆମେ ଯେତେବେଳେ ଡାଇନିଂ ହଲ୍ରେ ବସିଥିଲୁ ବିରାଟ କୋହଲି ଆସି ଲିଟନଙ୍କୁ ଏକ ବ୍ୟାଟ ଉପହାର ଦେଇଥିଲେ। ଏହା ଲିଟନଙ୍କ ପାଇଁ ପ୍ରେରଣାଦାୟୀ ସମୟ ଥିଲା।” ବାଂଲାଦେଶ ଗଣମାଧ୍ୟମରେ ଏ ନେଇ ଖବର ପ୍ରକାଶ ପାଇଛି। ଭାରତ ବିପକ୍ଷ ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୮୫ ରନର ଟାର୍ଗେଟ୍ ଦେଇଥିଲା।
ଲକ୍ଷ୍ୟ ପୂରଣ ପାଇଁ ବାଂଲାଦେଶ ବ୍ୟାଟିଂ ଆରମ୍ଭ କରି ଆରମ୍ଭରୁ ଜବରଦସ୍ତ ପ୍ରହାର କରିଥିଲା। ଓପନିଂ ଆସିଥିବା ଲିଟନ ମାତ୍ର ୨୧ ବଲ୍ରେ ଅର୍ଦ୍ଧଶତକ ହାସଲ କରିଥିଲେ। ଲିଟନଙ୍କ ବ୍ୟାଟିଂ ଦେଖି ଲାଗୁଥିଲା ଭାରତ ମ୍ୟାଚ୍ ହାରିଯିବ। ହେଲେ ବର୍ଷା ବାଧକ ସାଜିବାରୁ ଡିଏଲ୍ଏସ ମେଥଡ୍ରେ ମ୍ୟାଚ୍ ଖେଳ ହୋଇଥିଲା। ଶେଷରେ ଭାରତର ବିଜୟ ହୋଇଥିଲା। ଏହି ମ୍ୟାଚ୍ରେ ଲିଟନ ଦାସ ୨୭ ବଲରେ ୬୦ ରନ୍ କରିଥିଲେ।
