ଯମୁନା ନଦୀରେ ଡଙ୍ଗା ବୁଡିଯିବା ଘଟଣା: ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି

ନୂଆଦିଲ୍ଲୀ, ୧୧/୦୪ : ଯମୁନା ନଦୀରେ ଡଙ୍ଗା ଦୁର୍ଘଟଣା ଘଟଣାରେ ମୃତ୍ୟୁ ସଂଖ୍ୟା ୧୦ କୁ ବୃଦ୍ଧି ପାଇଛି। ୫ ଜଣ ପର୍ଯ୍ୟଟକ ଏବେ ବି ନିଖୋଜ ଥିବା ସୂଚନା ମିଳିଛି। ଆଜି ଦ୍ଵିତୀୟ ଦିନରେ ସେନା, ଏନଡିଆରଏଫ୍ ଏବଂ ଏସ୍‌ଡିଆରଏଫ୍ ଟିମ୍ ଖୋଜାଖୋଜି ଜାରି ରଖିଛନ୍ତି। ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟା ସମୟରେ କେସି ଘାଟରେ ଏହି ଦୁଃଖଦ ଦୁର୍ଘଟଣା ଘଟିଥିଲା। ଡଙ୍ଗାଟି ୩୭ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ହଠାତ୍ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ଯାତ୍ରୀମାନଙ୍କୁ ମୃତ୍ୟୁମୁଖରେ ଛାଡି ପଳାଇଯାଇଥିବା ଡଙ୍ଗା ମାଲିକ ପପୁ ନିଷାଦଙ୍କୁ ପୁଲିସ୍‌ ଗିରଫ କରିଛି।ଏହି ହୃଦୟବିଦାରକ ଦୁର୍ଘଟଣାରେ ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କ ଅକାଳ ମୃତ୍ୟୁ ଘଟିଛି। ​ଏହି ସମସ୍ତ ଭକ୍ତ ପଞ୍ଜାବର ଲୁଧିଆନା ଜିଲ୍ଲାର ଜାଗ୍ରାଓଁରେ ଥିବା ଶ୍ରୀ ବାଙ୍କେ ବିହାରୀ କ୍ଲବ ପକ୍ଷରୁ ବୃନ୍ଦାବନ ଆସିଥିଲେ। ଏପ୍ରିଲ ୯ ତାରିଖରେ କ୍ଲବ ଦୁଇଟି ବସ୍ ଯୋଗେ ମୋଟ ୧୩୦ ଜଣ ଭକ୍ତଙ୍କୁ ଚାରି ଦିନିଆ ଧାର୍ମିକ ତୀର୍ଥଯାତ୍ରାରେ ବୃନ୍ଦାବନ ପଠାଇଥିଲା। ସମସ୍ତ ଭକ୍ତ ଶୁକ୍ରବାର ସକାଳେ ବୃନ୍ଦାବନରେ ପହଞ୍ଚିଥିଲେ । ଏବଂ ଦୁର୍ଘଟଣା ଅପରାହ୍ନ ୩ ଟା ସମୟରେ ଘଟିଥିଲା। ପ୍ରଶାସନ ଏପର୍ଯ୍ୟନ୍ତ ନିଖୋଜ ଲୋକଙ୍କ ସଠିକ୍ ସଂଖ୍ୟା ଗଣନା କରୁଛି। କାରଣ କିଛି ଆହତ ଭକ୍ତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ବିଭିନ୍ନ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।