ନୂଆଦିଲ୍ଲୀ, ୧୫/୦୩ : ମଧ୍ୟପ୍ରାଚ୍ୟ ଯୁଦ୍ଧ ଇତିମଧ୍ୟରେ ପନ୍ଦର ଦିନ ଅତିକ୍ରାନ୍ତ ହୋଇସାରିଥିଲେ ସୁଦ୍ଧା ଇରାନକୁ ପରାସ୍ତ କରିବା ଆମେରିକା ପକ୍ଷରେ ସମ୍ଭବ ହୋଇପାରୁନାହିଁ। ଆସନ୍ତା ସପ୍ତାହରେ ଯୁଦ୍ଧର ରୂପରେଖ ଅଧିକ ଭୟଙ୍କର ହେବ ବୋଲି ଟ୍ରମ୍ପ ସୂଚନା ଦେଇଛନ୍ତି। ଫେବୃଆରୀ ୨୮ରେ ଇରାନର ସର୍ବୋଚ୍ଚ ଧର୍ମଗୁରୁ ଆୟାତୋଲ୍ଲା ଅଲି ଖାମେନେଇଙ୍କୁ ହତ୍ୟା କରିବାରେ ଆମେରିକା-ଇସ୍ରାଏଲ ସେନା ସଫଳ ହୋଇଥିଲା। ଖାମେନେଇଙ୍କ ମୃତ୍ୟୁ ପରେ ଇରାନ ଆତ୍ମସମର୍ପଣ କରିବ ବୋଲି ମଧ୍ୟ ଟ୍ରମ୍ପ ଭାବିଥିଲେ। ଆତ୍ମସମର୍ପଣ କରିବା ଦୂରର କଥା, ଇରାନ କ୍ରମଶଃ ଶକ୍ତିଶାଳୀ ହୋଇପଡୁଥିବା ଜଣାପଡିଛି। ଏ ପର୍ଯ୍ୟନ୍ତ ଆମେରିକା ଓ ଇସ୍ରାଏଲ ଆକାଶମାର୍ଗରୁ ଇରାନ ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ ଆକ୍ରମଣ ଜାରି ରଖିଛନ୍ତି। ମଧ୍ୟପ୍ରାଚ୍ୟର ଏକାଧିକ ସହଯୋଗୀ ରାଷ୍ଟ୍ରରେ ଥିବା ନିଜର ସାମରିକ ଘାଟିକୁ ଆମେରିକା ବ୍ୟବହାର କରୁଛି। ତେବେ ଏହି ରଣନୀତି ଶହେ ପ୍ରତିଶତ ସଫଳ ହୋଇପାରୁନାହିଁ। ଏହି ପରିପ୍ରେକ୍ଷୀରେ ଜଳପଥରେ ଇରାନ ଉପରେ ଆକ୍ରମଣ ଯୋଜନାକୁ ଅଧିକ ଜୋରଦାର କରିବାକୁ ଟ୍ରମ୍ପ ଯୋଜନା କରୁଥିବା ହ୍ବାଇଟ ହାଉସ ସୂତ୍ରରୁ ଜଣାପଡିଛି। ଆମେରିକା ଇତିମଧ୍ୟରେ ପାରସ୍ୟ ଉପସାଗରୀୟ ଅଞ୍ଚଳରେ ନିଜର ଦୁଇଟି ବିମାନବାହୀ ଯୁଦ୍ଧଜାହାଜ ‘ୟୁଏସଏସ ଜେରାଲ୍ଡ ଫୋର୍ଡ’ ଓ ‘ୟୁଏସଏସ ଆବ୍ରାହମ ଲିଙ୍କନ ମୁତୟନ କରିସାରିଛି। ଏହାବ୍ୟତୀତ ଆମେରିକାର ଏକାଧିକ ଯୁଦ୍ଧଜାହାଜ ମଧ୍ୟ ଉକ୍ତ ଅଞ୍ଚଳରେ ପଇଁତରା ମାରୁଛନ୍ତି। ଉପସାଗରୀୟ ଅଞ୍ଚଳକୁ ଅଧିକ ସଂଖ୍ୟାରେ ମେରାଇନ ସୈନ୍ୟ ପଠାଇବାକୁ ମଧ୍ୟ ଆମେରିକା ପ୍ରସ୍ତୁତ ହେଉଛି। ତେବେ ଆମେରରିକାର ଏହି ରଣନୀତି କେତେ ଦୂର ସଫଳ ହେବ, ତାହା ଆଗାମୀ ସମୟ ହିଁ କରିବ। ଆମେରିକା ପକ୍ଷରୁ ଇତିମଧ୍ୟରେ ଇରାନର ତୈଳ ଦ୍ବୀପ କୁହାଯାଉଥିବା ‘ଅର୍ଫାନ ପର୍ଲ’ ଉପରେ ପ୍ରବଳ ବୋମାମାଡ କରାଯାଇଛି। ଏଥିଯୋଗୁଁ ସେଠାରେ ଥିବା ତୈଳ ସମ୍ପଦର କ୍ଷତି ଘଟିଛି। ଏହି ଆକ୍ରମଣ ପରେ ଇରାନ ପକ୍ଷରୁ ପାଲଟା ଧମକ ଦିଆଯାଇଛି। ଯଦି ଶତ୍ରୁପକ୍ଷ ଇରାନର ତୈଳ ସମ୍ପଦ ଉପରେ ଆକ୍ରମଣ କରନ୍ତି, ତେବେ ମଧ୍ୟପ୍ରାଚ୍ୟରେ ଥିବା ସବୁ ତୈଳ ଖଣି ଓ ଗ୍ୟାସ ଭଣ୍ଡାରକୁ ଧ୍ବଂସ କରାଯିବ ବୋଲି ଇରାନ କହିଛି।
ଇରାନ ପକ୍ଷରୁ ଶନିବାର ଦୁବାଇର କେତେକ ଅଞ୍ଚଳ ଏବଂ ଇରାକ ରାଜଧାନୀ ବାଗଦାଦସ୍ଥିତ ଆମେରିକା ଦୂତାବାସ ଉପରେ ଆକ୍ରମଣ କରାଯାଇଛି। ତେବେ ଏହି ଆକ୍ରମଣରେ କେହି ମୃତାହତ ହୋଇନାହାନ୍ତି। ଆମେରିକା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଇରାନର ସର୍ବୋଚ୍ଚ ଧର୍ମଗୁରୁ ମୋଜତାବା ଖାମେନେଇ ଏବଂ ଅନ୍ୟ ଇରାନୀୟ ସେନା ଅଧିକାରୀଙ୍କ ସମ୍ପର୍କରେ ସୂଚନା ଦେଲେ ୧୦ ନିୟୁତ ଡଲାର ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି। ମୋଜତାବା ଗୁରୁତର ଆହତ ହୋଇ କୋମାରେ ରହିଛନ୍ତି ବୋଲି ଆମେରିକା ପୂର୍ବରୁ ଦାବି କରୁଥିଲେ ସୁଦ୍ଧା ଏଭଳି ଘୋଷଣାକୁ ନେଇ ସାଧାରଣରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଅପରପକ୍ଷରେ ଇରାନ ଓ ହମାସ୍ ମେଣ୍ଟରେ ଫାଟ ସୃଷ୍ଟି ହୋଇଥିବା ଜଣାପଡିଛି। ଇରାନ ପକ୍ଷରୁ ଏକାଧିକ ମଧ୍ୟପ୍ରାଚ୍ୟ ରାଷ୍ଟ୍ର ଉପରେ ଆକ୍ରମଣ କରାଯାଉଥିବାରୁ ହମାସ ସଂଗଠନ ଅସନ୍ତୋଷ ବ୍ୟକ୍ତ କରିଛି। ଭାରତର ଦୁଇଟି ତୈଳବାହୀ ଜାହାଜ ‘ଶିବାଲିକ୍’ ଓ ‘ନନ୍ଦା ଦେବୀ’ ଇତିମଧ୍ୟରେ ହର୍ମୁଜ ପ୍ରଣାଳୀ ଅତିକ୍ରମ କରି ଭାରତ ଆଡକୁ ଅଗ୍ରସର ହେଉଛନ୍ତି। ୯୨,୭୦୦ ମେଟ୍ରିକ ଟନ ଏଲପିଜି ବୋଝେଇ ହୋଇଥିବା ଏହି ଦୁଇଟି ଜାହାଜ ଆସନ୍ତା ୧୭ ସୁଦ୍ଧା ଗୁଜରାଟର ମୁନ୍ଦ୍ରା ଓ କାଣ୍ଡଲା ବନ୍ଦରରେ ପହଞ୍ଚିବ ବୋଲି କୁହାଯାଇଛି।