ଡାକ୍ତରଖାନାରେ ୩ ବର୍ଷର ଶିଶୁକୁ ଦୁଷ୍କର୍ମ କଲା ଓ୍ବାର୍ଡ଼ବୟ

ଦିଲ୍ଲୀ, ୧୦/୧୧ : ଦିଲ୍ଲୀରେ ଓଖଲାର ସରକାରୀ ହସ୍ପିଟାଲରେ ଜଣେ ସାଢ଼େ ୩ ବର୍ଷର ନିରୀହ ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲା ସାମନାକୁ ଆସିଛି। ଏହି ଲଜ୍ଜାଜନକ ଘଟଣା ଭିଆଇଛି ହସ୍ପିଟାଲର ଜଣେ ଓ୍ବାର୍ଡ଼ବୟ ଅମରନାଥ। ଏହି ଘଟଣା ଦ୍ବାରା ଶିଶୁଟିର ଶୋଚନୀୟ ଅବସ୍ଥା ହୋଇଛି। ତାକୁ ସେହି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ ରବିବାର ରାତିରେ ଶିଶୁଟି ନିଜ ମା ସହ ହସ୍ପିଟାଲକୁ ଆସିଥିଲା। ଏହି ସମୟରେ ମା ଶିଶୁଟିକୁ ଏକ ରୁମରେ ବସାଇ କେଉଁଠି ଚାଲି ଯାଇଥିଲେ। ଏହି ସମୟରେ ଓ୍ବାର୍ଡ଼ ବୟ ଅମରନାଥର କୁଦୃଷ୍ଟି ଶିଶୁଟି ଉପରେ ପଡ଼ିଥିଲା। ସେ ଶିଶୁଟିକୁ ଏକୁଟିଆ ପାଇ ତା ସହ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ପରେ ଶିଶୁଟିର ଅବସ୍ଥା ସଙ୍କଟାପନ୍ନ ହୋଇଯାଇଥିଲା। ମା ପହଞ୍ଚି ଶିଶୁଟିର ଅବସ୍ଥା ଦେଖି ଚମକି ହିତାହିତ ଜ୍ଞାନ ହରାଇବସିଥିଲେ। ସେ ସେଠାରେ ହିଁ ଶିଶୁଟିକୁ ଆଡମିଟ କରାଇଥିଲେ। ଘଟଣା ବିଷୟରେ ଜାଣି ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଛି।

ରବିବାର ପାଖାପାଖି ୯ଟାବେଳେ ଏହି ଘଟଣା ଘଟିଥିଲା। ଡାକ୍ତରଙ୍କ କହିବା ଅନୁସାରେ ଶିଶୁଟି ଏବେ ବିପଦମୁକ୍ତ ରହିଛି। କିନ୍ତୁ ତାର ଚିକିତ୍ସା ଚାଲିଛି। ପୋଲିସ୍ ଏହି ମାମଲାରେ ପକ୍ସୋ ଆକ୍ଟ ଅନୁସାରେ ମୋକଦ୍ଦମା ରୁଜୁ କରିଛି।