ନୂଆଦିଲ୍ଲୀ,୧ /୧୨: ଆଜି ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଚାଲିଥିବା କୃଷକ ଓ ସରକାରଙ୍କ ମଧ୍ୟରେ ୩ୟ ବୈଠକ ପରେ କୌଣସି ପରିସ୍ଥିତିରେ ଆନ୍ଦୋଳନ ବନ୍ଦ ହେବ ନାହିଁ ବରଂ ଆହୁରି ତୀବ୍ରତର ହେବ ବୋଲି କୃଷକ ନେତାମାନେ କହିଛନ୍ତି। ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟଧରି ବୈଠକ ପରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆସନ୍ତାକାଲିର ବୈଠକ ଉପରେ ଗୁରୁତ୍ୱ ଦେଉଥିବା ବେଳେ ବୈଠକରେ ଅଂଶଗ୍ରହଣ କରିଥିବା କୃଷକ ସଂଗଠନ ନେତାମାନେ କହିଛନ୍ତି ଯେ ବିଲ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।
ଆଜି ବୈଠକରେ କୃଷକ ସଂଗଠନ ପ୍ରତିନିଧିଙ୍କ ସଂଖ୍ୟା ହ୍ରାସ କରି ଛୋଟ ଛୋଟ କମିଟି ଗଠନ ପ୍ରସ୍ତାବକୁ କୃଷକ ସଂଗଠନ ଖାରଜ କରିବା ସହ ଆସନ୍ତାକାଲି ହେବାକୁ ଥିବା ବୈଠକରେ ଅଧିକ କୃଷକ ସଂଗଠନ ପ୍ରତିନିଧି ସାମିଲ ହେବେ ବୋଲି କହିଛନ୍ତି। ଆସନ୍ତାକାଲି ସରକାର ଏବଂ କୃଷକ ସଂଗଠନ ମଧ୍ୟରେ ୪ର୍ଥ ବୈଠକ ଅନୁଷ୍ଠିତ ହେବ।